spot_img

Latest Posts

ହୀରାକୁଦ ବନ୍ଧର ସୁରକ୍ଷା ପ୍ରସଙ୍ଗରେ ପୂର୍ଣ୍ଣଛେଦ, ବନ୍ଧ ପାଇଁ ଏବେ କୌଣସି ବିପଦ ନାହିଁ

ସମ୍ବଲପୁର: ହୀରାକୁଦ ବନ୍ଧର ସୁରକ୍ଷାକୁ ନେଇ ଉଠୁଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ। ବନ୍ଧ ପାଇଁ ଏବେ କୌଣସି ବିପଦ ନାହିଁ । ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ହେଉଥିବା ନିୟମିତ ଚିଠି ଆଦାନପ୍ରଦାନ ପ୍ରକ୍ରିୟାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଉଛି। ନଦୀବନ୍ଧର ଯାଞ୍ଚ ପାଇଁ ଡ୍ୟାମ ସେଫଟି ରିଭ୍ୟୁ ପ୍ୟାନେଲକୁ କରାଯାଇଥିବା ଅନୁରୋଧ ଉପରେ ଡ୍ୟାମ ସେଫ୍ଟି ମୁଖ୍ୟଯନ୍ତ୍ରୀ କିଛି ତଥ୍ୟ ମାଗିଛନ୍ତି। ମହାନଦୀ ବେସିନ ପକ୍ଷରୁ ଏହିସବୁ ତଥ୍ୟ ଉପସ୍ଥାପନା କରାଯିବା ପରେ ଡିଏସଆରପି ଟିମ୍ ଯାଞ୍ଚ ପାଇଁ ଅନୁମତି ଦେବେ। ୧୯୯୫ ପରେ ନଦୀବନ୍ଧରେ ଆଉ କୌଣସି ବଡ ଫାଟ ଦେଖାଦେଇନାହିଁ। ତେଣୁ ଯାଞ୍ଚର ଆବଶ୍ୟକତା ପଡିନଥିଲା। ତେବେ ୨୦୧୫ ଓ ୨୦୧୬ରେ ମୁମ୍ବାଇର ଏକ ବିଶେଷଜ୍ଞ ଟିମ ଜରିଆରେ ସ୍ପିଲୱେ ଓ ଉଭୟ ପାର୍ଶ୍ୱ ଫାଟକର ଯାଞ୍ଚ କରାଯାଇଥିଲା। ସେ ସମୟରେ ଫାଟ ନୁହେଁ ବନ୍ଧରେ ଚୁନ ଖସିଥିବା ଜଣାପଡିଥିଲା।

ଗତ ୧୬ ତାରିଖରେ ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡ୍ୟାମ ସୁରକ୍ଷା ମୁଖ୍ୟଯନ୍ତ୍ରୀ। ୧୯୯୯ରେ ଶେଷ ଥର ପାଇଁ ରୋବଟ୍ ମାଧ୍ୟମରେ ନଦୀବନ୍ଧ ଫାଟର ତଦାରଖ କରାଯାଇଥିଲା। ସେତେବେଳେ ଜଳଭଣ୍ଡାର ଭିତରୁ ରୋବଟ୍ ମାଧ୍ୟମର ଭିଡିଓଗ୍ରାଫି କରାଯାଇଥିଲା। ଜାନୁଆରୀ ୨୦୨୦ରେ ଡ୍ୟାମ ସେଫ୍ଟି ରିଭ୍ୟୁ ପ୍ୟାନେଲ ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିଥିଲେ। ସେ ସମୟରେ ଡିଏସ୍ଆରପି ବନ୍ଧର ଅପରେସନ୍ ଗ୍ୟାଲେରୀରେ ଫାଟ, ଫାଉଣ୍ଡେସନ୍ ସ୍ଲୁଇସ ବ୍ୟାରେଲ୍ ଏବଂ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବର ଅଧିକ ଅନୁଧ୍ୟାନ ପାଇଁ ପ୍ରସ୍ତାବ ଦେଇଥିଲେ। ବନ୍ଧରେ ଥିବା ଫାଟ ମ୍ୟାପିଂ କରି ମରାମତି ସମ୍ପର୍କିତ ରେକର୍ଡ ରଖିବାକୁ ପରାମର୍ଶ ଦେଇଛନ୍ତି ନଦୀବନ୍ଧ ସୁରକ୍ଷା ମୁଖ୍ୟ ଯନ୍ତ୍ରୀ ଶିବାଶିଷ ପାଢୀ। ପ୍ରତି ୫ବର୍ଷରେ ଥରେ ସର୍ଭେ ମାଧ୍ୟମରେ ଫାଟ ସମ୍ପର୍କରେ ଯାଞ୍ଚ କରି ତାର ରେକର୍ଡ ରଖିବା ପାଇଁ କୁହାଯାଇଛି। ନଦୀବନ୍ଧର ଡ୍ରୋନ ସର୍ଭେ ସହିତ ଡାଇନଷ୍ଟ୍ରିମରେ ଫାଟ ଅଛି କି ନାହିଁ ତାର ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଥିଲା। ସ୍ପିଲ୍ ଓ୍ବେର ପାଣି ତଳେ ଭିଡିଓଗ୍ରାଫି କରିବା ପାଇଁ କୁହାଯାଇଥିଲା। ଗେଟ୍ ଅପରେସନ୍ ଗ୍ୟାଲେରୀ ନିକଟରେ ଯେଉଁ ଫାଟ ସୃଷ୍ଟି ହୋଇଥିଲା ତାର ନିୟମିତ ଯାଞ୍ଚ ସାଙ୍ଗକୁ ନଦୀବନ୍ଧରେ ଜମା ହେଉଥିବା ପଟୁ ନେଇ ସର୍ଭେ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ହୀରାକୁଦ ଡ୍ୟାମ ପ୍ରତି ବିପଦ ନାହିଁ। ସୁରକ୍ଷା ଯାଞ୍ଚ ଏକ ନିୟମିତ ପ୍ରକ୍ରିୟା। ଡ୍ୟାମରେ ଛୋଟ ଛୋଟ ଫାଟ ହୁଏ । ତାହାକୁ ମରାମତି ମଧ୍ୟ କରାଯାଏ। ପ୍ରତି ୫ବର୍ଷରେ ଡ୍ୟାମର ସର୍ଭେ ହୁଏ । ଆଗରୁ ମଧ୍ୟ ସର୍ଭେ କରାଯାଇଛି ଏବେ ଆଉଥରେ ଡ୍ରୋନ୍ ମାଧମରେ କରାଯିବା ଉଚିତ ବୋଲି ଜଳସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Latest Posts

Don't Miss