ଆଜି ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା
1 min read
ନନ୍ଦିଘୋଷ ବ୍ୟୁରୋ: ସରକାର ଗାଁ କୁ ଗାଁ ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି । ହେଲେ ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତରୁ ଜୁରାବନ୍ଧ ପଞ୍ଚାୟତକୁ ସଂଯୋଗ କରୁଥିବା ସାନଗମଡା ରାସ୍ତା ପକ୍କା ହୋଇନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ସମସ୍ଯା ନେଇ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଫଳ ଶୂନ । ଏବେ ଆନ୍ଦୋଳନମୁହାଁ ହେଲେଣି ଲୋକେ ।
ଗାଁକୁ ନାହିଁ ପକ୍କା ରାସ୍ତା । ଖାଲଖାମ କଚ୍ଚା ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯାଆସ କରୁଛନ୍ତି ଲୋକେ । ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତରୁ ଜୁରାବନ୍ଧ ପଞ୍ଚାୟତକୁ ସଂଯୋଗ କରୁଥିବା ସାନଗମଡା ରାସ୍ତା । ଏହି ରାସ୍ତାକୁ ପକ୍କା ରାସ୍ତା କରିବା ପାଇଁ ଅଞ୍ଚଳବାସୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଜଣାଇଛନ୍ତି । ହେଲେ ଆଜି ପର୍ଯ୍ଯନ୍ତ ରାସ୍ତାଟିଏ ହୋଇ ପାରୁନାହିଁ । ବର୍ତ୍ତମାନ ଖରା ଦିନ ହୋଇଥିବାରୁ ଯେନତେନ ପ୍ରକାରେ ଲୋକେ ତ ଯିବା ଆସିବା କରୁଛନ୍ତି ହେଲେ ବର୍ଷା ଦିନେ ଲୋକଙ୍କ ଦୁର୍ଦ୍ଦଶା ନକହିବା ଭଲ । ଗାଁକୁ ଆମ୍ବୁଲାନ୍ସ ପଶିପାରୁ ନଥିବାରୁ ରୋଗୀ ସେବା ବ୍ଯାହତ ହୁଏ । କାଦୁଅ ରାସ୍ତା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ପଞ୍ଚାୟତକୁ ଚାଉଳ ଆଣିବାକୁ ଗଲାବେଳେ ବୟସ୍କ ଲୋକେ ହଇରାଣ ହେଉଥିବା କହିଛନ୍ତି ।
ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି । ତୁରେକେଲା ସରପଞ୍ଚ ଅନେକ ଥର ଲିଖିତ ଭାବେ ବିଡିଓଙ୍କୁ ଜଣାଇଛନ୍ତି । ହେଲେ ସମସ୍ତେ ଚୁପ ବସିଛନ୍ତି । ଗତ କିଛି ଦିନ ତଳେ ଜିଲ୍ଲାପାଳଙ୍କ ଆପତ୍ତି ଅଭିଯୋଗ ଶୁଣାଣିରେ ମଧ୍ଯ ସ୍ଥାନୀୟ ଲୋକେ ସମସ୍ଯା ସଂପର୍କରେ ଜଣାଇଛନ୍ତି । ହେଲେ ଗରିବଙ୍କ କଥା ଶୁଣୁଛି କିଏ ? ଯଦି ଖୁବଶୀଘ୍ର ପକ୍କା ରାସ୍ତା ନିର୍ମାଣ ନହୁଏ ତାହାଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲେଣି ଗ୍ରାମବାସୀ । ଏନେଇ ଟିଟିଲାଗଡ ଉପ-ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ପକ୍କା ରାସ୍ତା ନିର୍ମାଣ ପାଇଁ ଖବଶୀଘ୍ର ପଦକ୍ଷେପ ନିଆଯିବ । ଲୋକଙ୍କ ଦୀର୍ଘ ଦିନର ଦାବି କେବେ ପୂରଣ ହେଉଛି ତାହା ଉପରେ ସମସ୍ତଙ୍କ ରହିଛି ନଜର।