ବିଶୃଙ୍ଖଳାକୁ ବରଦାସ୍ତ କରିବନି ବିଜେଡି: ପ୍ରଫୁଲ୍ଲଙ୍କୁ ନିଲମ୍ବନ କରି ନବୀନ ଦେଲେ ବଡ ବାର୍ତ୍ତା

ବିଶୃଙ୍ଖଳାକୁ ବରଦାସ୍ତ କରିବନି ବିଜେଡି । ପ୍ରଫୁଲ୍ଲଙ୍କୁ ନିଲମ୍ବନ କରି ନବୀନ ଦେଲେ ବଡ ବାର୍ତ୍ତା । ବିଶୃଙ୍ଖଳା ବିରୋଧରେ ଶୂନ୍ୟ ସହନଶୀଳ ନୀତି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କ ଉପରେ ରହିଛି ଶୃଙ୍ଖଳା କମିଟିର ନଜର । ଆକ୍ସନ ମୁଡରେ ନବୀନ । ବିଜେଡି ଅନୁଶାସନ ଭାଙ୍ଗୁଥିବା ନେତାଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି । ଦଳ ବିରୋଧୀ କାର୍ଯ୍ୟପାଇଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । ଦଳୀୟ ଶୃଙ୍ଖଳା ଠାରୁ ବଡ କେହି ନୁହେଁ ତାହା ପୁଣିଥରେ ପ୍ରମାଣିତ କରିଛନ୍ତି ନବୀନ। ବିଜେଡି କହିଛି, ଦଳ ବିରୋଧୀ କାର୍ଯ୍ୟପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ମନ୍ତ୍ରୀ ଥିବା ସମୟରେ ଦଳ ଓ ନେତୃତ୍ବକୁ ପ୍ରଶଂସା କରୁଥିଲେ ପ୍ରଫୁଲ୍ଲ । କିନ୍ତୁ କିଛି ଦିନ ହେବ ଦଳକୁ କ୍ଷତି ପହଞ୍ଚାଇବା ଭଳି ନିମ୍ନମାନର ଟିପ୍ପଣୀ ଦେଉଥିଲେ। କାହା ଇଙ୍ଗିତରେ ସେ ଏପରି ବୟାନବାଜି କରୁଥିଲେ ବୋଲି ପ୍ରଶ୍ନ କରି ବିଜେଡି ବର୍ଷିଛି । ପ୍ରଫୁଲ୍ଲଙ୍କ ଗତକାଲିର ବୟାନ ପରେ ବିଭିନ୍ନ ଦିଗକୁ ଦଳ ତର୍ଜମା କରି ଦଳରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ବିଜେଡି କହିଛି । ଅନ୍ୟ ଯେଉଁମାନେ ଏପରି କରୁଛନ୍ତି ତାଙ୍କ ପାଇଁ ଦୃଷ୍ଟାନ୍ତ ମୂଳକପଦକ୍ଷେପ। ଅନ୍ୟମାନେ ବି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଶୃଙ୍ଖଳା କମିଟି ତାହା ଉପରେ ନଜର ରଖିଛି । କିଏ କଣ କରୁଛନ୍ତି, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦଳ ଚେତାଇ ଦେଇଛି ।
ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଦଳ ଭିତରେ ରହି ଯେଉଁମାନେ କୁଚକ୍ରୀ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଦଳ ଉପଯୁକ୍ତ ପଦକ୍ଷେପ ନେଇଛି । ଦଳ କ୍ଷମତାରେ ଥିବା ବେଳେ ସେ ମନ୍ତ୍ରୀ ହେଉଥିଲେ । ସେତେବେଳେ ସେ ମନା କଲେନି । କହିଲେନି ଯେ ଆଉ କିଏ ମନ୍ତ୍ରୀ ହୁଅନ୍ତୁ, ମୁଁ ହେବି ନାହିଁ । ଯେତେବେଳେ କ୍ଷମତା ଥିଲା, ସେତେବେଳେ ବିଚାର ଆଦର୍ଶ ଥିଲା । ଏମାନେ ଶୀତ ଓ ବସନ୍ତ ୠତୁର ପକ୍ଷୀ ପରି କହି ପ୍ରଫୁଲ୍ଲଙ୍କୁ କଟାକ୍ଷ କରିଛନ୍ତି ପ୍ରମିଳା । କେବଳ ପ୍ରଫୁଲ୍ଲ ନୁହେଁ, ଆଉ ଯିଏ ଏଭଳି କରିବ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରମିଳା ରୋକଠୋକ କହିବା ସହିତ ଦଳ ପ୍ରଫୁଲ୍ଲଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେଇଛି ବୋଲି କହିଛନ୍ତି । ବିଜେଡିରେ ଆଉ ସୁବିଧାବାଦୀ ନେତାଙ୍କ ସ୍ଥାନ ନାହିଁ ତାହା ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରି ଜଣାଇ ଦେଇଛି ଦଳ । ଯେଉଁ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି ତାଙ୍କ ବିରୋଧରେ ପ୍ରଫୁଲ୍ଲଙ୍କ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୋକ୍ଷରେ ଚେତାଇ ଦେଇଛି ଦଳ । ବିଜେଡିର ବଡ ପୁଞ୍ଜି ଶୃଙ୍ଖଳା । ଏଥିରେ ବ୍ୟତିକ୍ରମ ହେବନି ବୋଲି ଦଳ ପୁଣି ସମସ୍ତଙ୍କୁ ଚେତାଇ ଦେଇଛି ।