ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ, ୬ ଯାଏଁ ସ୍କୁଲ ଛୁଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଜାରି ରହିଛି ପ୍ରବଳ ଥଣ୍ଡା । କଲବଲ କରୁଛି ଘନ କୁହୁଡି। ଦିଲ୍ଲୀ ଏନସିଆର ସମେତ ଉତ୍ତର ପ୍ରଦେଶ, ଚଣ୍ଡୀଗଡ, ରାଜସ୍ଥାନ , ବିହାର, ମଧ୍ୟପ୍ରଦେଶରେ କୁହୁଡିର ମୋଟା ଚାଦର ଢାଙ୍କିରହିଛି । ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତାଘାଟ ସ୍ପଷ୍ଟ ଭାବେ ଦେଖାଯାଉନି । ଦିଲ୍ଲୀର ବିଭିନ୍ନ ରାସ୍ତାରେ ଜିରୋ ଭିଜିଭିଲିଟି ସୃଷ୍ଟି ହୋଇଛି ।

ଦୃଶ୍ୟମାନ କ୍ଷମତା କମ୍ ରହିଥିବାରୁ ବିମାନ ଚଳାଚଳ ଡେରିରେ ହେଉଛି । ଉତ୍ତର ପ୍ରଦେଶର ନୋଏଡା ଓ ଗ୍ରେଟର ନୋଏଡାରେ ଭୀଷଣ ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।