ବଢ଼ିଲା କୋରିଆ ଟେନସନ୍, ଉତ୍ତର କୋରିଆର ପୁଣି ଦ୍ୱିତୀୟ ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷା

ନୂଆଦିଲ୍ଲୀ: ପୁଣି ଦକ୍ଷିଣ କୋରିଆ ଓ ଜାପାନକୁ ଡରାଇଲା ଉତ୍ତର କୋରିଆ । ଉତ୍ତର କୋରିଆ ଏକ ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲର ପରୀକ୍ଷା କରିଛି ବୋଲି ଅଭିଯୋଗ କରିଛି ସିଓଲ । ଗତ ଦୁଇ ଦିନ ମଧ୍ୟରେ ଉତ୍ତର କୋରିଆର ଏହି ଦ୍ୱିତୀୟ ପରୀକ୍ଷଣ ସମଗ୍ର କୋରିଆ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି । ସିଓଲର ସାମରିକ ପଦାଧିକାରୀ କହିଛନ୍ତି ଉତ୍ତର କୋରିଆ ଯେଉଁ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ତାହା ଜାପାନ ସମୁଦ୍ରାଞ୍ଚଳ ସ୍ପର୍ଶ କରିଛି ।

ସେପଟେ ସ୍ଥିତିର ସମୀକ୍ଷା କରିଛି ଦକ୍ଷିଣ କୋରିଆର ଜାତୀୟ ନିରାପତ୍ତା ପରିଷଦ । ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି । ଜାପାନର ସମୁଦ୍ର ଅଞ୍ଚଳ ଅନ୍ତର୍ଗତ ହୋକାଇଦୋରେ କ୍ଷେପଣାସ୍ତ୍ର ହିଟ୍ କରିଛି ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଏହି କ୍ଷେପଣାସ୍ତ୍ର ପଡ଼ିଥିବାରୁ ଏହାକୁ ନିନ୍ଦା କରିଛନ୍ତି କିସିଦା । ସେପଟେ ସ୍ଥିତିର ମୁକାବିଲା ଲାଗି ଜାପାନ, ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଆଲୋଚନା ଜାରି ରହିଛି । ଉତ୍ତରକୋରିଆର ପରୀକ୍ଷଣ ନେଇ ଜାପାନ ପ୍ରଧାନମନ୍ତ୍ରୀ କିସିଦା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

ସେପଟେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପ୍ରସଙ୍ଗର ସମୀକ୍ଷା ଲାଗି ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନଡ଼ା ଓ ଉତ୍ତର କୋରିଆ ସହ ଜରୁରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବ୍ୟାଙ୍ଗକରେ ଆୟୋଜିତ ଏସୀୟ ପ୍ରଶାନ୍ତ ସମ୍ମିଳନୀ ଅବସରରେ କମଳା ଏହି ବୈଠକ କରିବେ ।