ଛାତ୍ରଙ୍କ କାମରେ ଲାଗୁନି ଶହେ ଶଯ୍ୟା ବିଶିଷ୍ଟ ନୂତନ ହଷ୍ଟେଲ

ନନ୍ଦିଘୋଷ ବ୍ୟୁରୋ: ନୂତନ ହଷ୍ଟେଲ କାହା ପାଇଁ ? ଦୁଇ କୋଟି ଦଶ ଲକ୍ଷ ଟଙ୍କାରେ ଶହେ ଶଯ୍ଯା ବିଶିଷ୍ଟ ନୂତନ ହଷ୍ଟେଲ ନିର୍ମାଣ କରାଗଲା । ହେଲେ ତାହା କଲେଜ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉନି । ଫଳରେ କିଏ ପୁରୁଣା ହଷ୍ଟେଲରେ ରହୁଛନ୍ତି ତ କିଏ ବାହାର ମେସରେ ରହିବାକୁ ବାଧ୍ୟ ହେଉଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମହାବିଦ୍ୟାଳୟରେ ହଷ୍ଟେଲ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ଛାତ୍ର ।
ଛାତ୍ରଙ୍କ କାମରେ ଲାଗୁନି ଶହେ ଶଯ୍ୟା ବିଶିଷ୍ଟ ନୂତନ ହଷ୍ଟେଲ । କୋଠା ନିର୍ମାଣ ପରେ ବି କଲେଜ କର୍ତ୍ତୃପକ୍ଷଙ୍କୁ କରାଯାଉନି ହସ୍ତାନ୍ତର । ଭଙ୍ଗାଦଦରା ପୁରୁଣା ହଷ୍ଟେଲରେ ରହୁଛନ୍ତି ପିଲା । ଅନେକ ବାହାର ମେସରେ ରହି ହେଉଛନ୍ତି ଅଯଥା ଖର୍ଚ୍ଚାନ୍ତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘୋର ଅବ୍ୟବସ୍ଥା । କଲେଜରେ ବର୍ତ୍ତମାନ ୧୨ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଅନେକ ଛାତ୍ର ବାହାରୁ ଆସି ଏଠାରେ ପଢୁଛନ୍ତି । ହେଲେ ଦୁଃଖର ବିଷୟ ଏଠାରେ ଛାତ୍ର ମାନଙ୍କ ନିମନ୍ତେ ମାତ୍ର ୪୦ ଶଯ୍ୟା ବିଶିଷ୍ଟ ଏକ ହଷ୍ଟେଲ ଅଛି । ଯାହା ବହୁ ପୁରୁଣା ହୋଇଥିବା ବେଳେ ହଷ୍ଟେଲ ରୁମ ଭାଙ୍ଗିରୁଜି ଗଲାଣି । ବର୍ଷା ହେଲେ ରୁମ ଭିତରେ ପାଣି ପଡୁଛି । ହଷ୍ଟେଲରେ ଖାଇବା ରୁମ ମଧ୍ୟ ନାହିଁ । ଯାହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଅନ୍ୟପଟେ ପିଲାଙ୍କ ପାଇଁ ଦୁଇ କୋଟି ଦଶ ଲକ୍ଷ ଟଙ୍କାରେ ଶହେ ଶଯ୍ଯା ବିଶିଷ୍ଟ ନୂତନ ହଷ୍ଟେଲ ନିର୍ମାଣ ହୋଇଛି । ହେଲେ ଏଯାବତ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାହା ହସ୍ତାନ୍ତର କରାଯାଉନାହିଁ । ମହାବିଦ୍ୟାଳୟ ଅଧ୍ୟକ୍ଷ ହଷ୍ଟେଲ ହସ୍ତାନ୍ତର କରିବାକୁ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି । ତେବେ ଅସୁବିଧା କଣ, କାହିଁକି ହଷ୍ଟେଲ ହସ୍ତାନ୍ତର କରାଯାଉନାହିଁ ? ସେ ସଂପର୍କରେ ଉପଜିଲ୍ଲାପାଳ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।
ପାଠ ପଢିବା ପାଇଁ ବିପଜ୍ଜନକ ଭାବେ ପୁରୁଣା ହଷ୍ଟେଲରେ ଛାତ୍ର ମାନେ ପଡି ରହିଥିବା ବେଳେ ତୁରନ୍ତ ନୂତନ ଭାବେ ନିର୍ମିତ ହଷ୍ଟେଲକୁ ମହାବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ଦାବି ଜୋର ଧରିଛି ।