spot_img

Latest Posts

ଯୁଗାବସାନ: ରାଷ୍ଟ୍ରପତି ତଥା ଜୟଦେବ ପୁରସ୍କାର ପ୍ରାପ୍ତ ସିନେ ନିର୍ଦ୍ଦେଶକ ଶାରଦାଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଦେହାନ୍ତ । ବୁଧବାର ସନ୍ଧ୍ୟାରେ ୯୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ନାୟକଙ୍କ ପରଲୋକ ଘଟିଛି । ଏକାଧାରରେ ଜଣେ ସଫଳ ନିର୍ଦ୍ଦେଶକ, ଗୀତିକାର ଓ ସଂଳାପକାର ଭାବେ ପରିଚିତ ଶାରଦା ପ୍ରସନ୍ନଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି । ୬୦ ଦଶକଠାରୁ ଓଡ଼ିଆ ସିନେମା ସହ ଜଡ଼ିତ ହୋଇଥିବା ସାରଦା ପ୍ରସନ୍ନ ଦର୍ଶକଙ୍କୁ ବହୁ ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର ଭେଟିଦେଇଛନ୍ତି । ତାଙ୍କର ବିୟ‌ୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

୧୯୬୨ ମସିହାରେ ସାରଦା ପ୍ରସନ୍ନ ନାୟକ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହ ଏଥିରେ ଗୀତିକାର ଓ ସଂଳାପକାର ଭୂମିକା ନିର୍ବାହ କରିଥିଲେ। ଏହି ଚଳଚ୍ଚିତ୍ର ଲାଗି ସେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ। କେବଳ ସେତିିକି ନୁହେଁ, ଏହି ଚଳଚ୍ଚିତ୍ରରେ ସେ ରଚନା କରିଥିବା ଗୀତ ‘ଆରତ ସୁରେ ବାରେ କରେ ମିନତିରେ..’ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ମହମ୍ମଦ ସିକନ୍ଦର ଆଲାମ  ଗାଇଥିବା ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ୱରାରୋପିତ ଏହି ଗୀତ ସେ ସମୟରେ ଚହଳ ସୃଷ୍ଟି କରିଥିଲା।

‘ଲକ୍ଷ୍ମୀ’ ପରେ ସେ ‘କା’, ‘ସ୍ତ୍ରୀ’ ଓ ‘ସଂସାର’ ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ରକୁ ଅବଦାନ ଲାଗି ୨୦୧୩ ମସିହା ପାଇଁ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ନର୍ଦ୍ଦେଶନା ସହ ସେ ଫିଲ୍ମ ‘ହୀରାନୀଳା’ ଏବଂ ‘ସ୍ତ୍ରୀ’ରେ ଅଭିନୟ ମଧ୍ୟ କରିଥିଲେ। ଦୂରଦର୍ଶନରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଥିଲେ।

Latest Posts

Don't Miss