ନୂଆପଡ଼ା ଉପନିର୍ବାଚରେ ବିଜେପିର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ବିଜେଡି ଆଣିଲା ସଙ୍ଗୀନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନରେ ଏଯାଏଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସି ନାହିଁ । ପ୍ରଚାର ବି ଜୋରସୋର ହୋଇନାହିଁ । ତଥାପି ବିଜେପି ବିରୋଧରେ ଆସିଲାଣି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ । ଏକ କଲେଜରେ ବିଜେପି ପ୍ରାର୍ଥୀଙ୍କ ବୈଠକ । ସେହି ବୈଠକରେ ପୁଣି ଯୋଗ ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଗଣ୍ଡ ସମାଜକୁ ପ୍ରଲୋଭିତ କରିବାକୁ ବୈଠକରେ ମନ୍ତ୍ରୀ ଦେଇଛନ୍ତି କିଛି ପ୍ରତିଶ୍ରୁତି । ଏହା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେବା ସହ ବୈଠକର ଫଟୋ ଦେଖାଇ ଆକ୍ସନ ନେବାକୁ ଦାବି କରିଛି ବିଜେଡି ।

ନୂଆପଡ଼ା ବ୍ଲକ ଗୋଡ଼ଫୁଲ କଲେଜରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ ଗଣ୍ଡ ସମାଜ ସଭାପତିଙ୍କ ବୈଠକ । ବୈଠକରେ ଉପସ୍ଥିତ ଥିଲେ ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଣ୍ଡ ସମାଜକୁ ମନ୍ତ୍ରୀ କିଛି ପ୍ରତିଶ୍ରୁତି ଦେଇଥିବାର ମଧ୍ୟ ଅଭିଯୋଗ ହୋଇଛି । ବିଜେଡି ପ୍ରଶ୍ନ କରିଛି, ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନରେ ରାଜନୈତିକ ବୈଠକ ହେଲା କେମିତି ? ନିର୍ବାଚନ ଆଚରଣ ବିଧି ସମୟରେ ମନ୍ତ୍ରୀ କେମିତି ଦେଲେ ପ୍ରତିଶ୍ରୁତି ? ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଫେରାଦ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ଗୁରୁତର ଭାବେ ନେଇ ଉଚିତ ଆକ୍ସନ ନେବାକୁ ପ୍ରତିଶ୍ରୁତି ଦେଇଥିବା ନେଇ ବିଜେଡି ସୂଚନା ଦେଇଛି । ଏହା ସହିତ ବିଜେପି ସରକାର ଓ ଭାରତୀୟ ନିର୍ବାଚନ କମିଶନଙ୍କ ମଧ୍ୟରେ ସଲାସୁତରାର ଗନ୍ଧ ବାରିଛି ବିଜେଡି । କାରଣ ମୁଖ୍ୟମନ୍ତ୍ରୀ ଯେଉଁ ଦିନ ନୂଆପଡ଼ା ପାଇଁ ପ୍ରକଳ୍ପର ଭେଟି ଦେଲେ, ସେହି ସନ୍ଧ୍ୟାରେ ନିର୍ବାଚନ ଘୋଷଣା ହୋଇଥିଲା ଓ ଲାଗୁ ହୋଇଥିଲା ଆଦର୍ଶ ନିର୍ବାଚନ ଆଚରଣ ବିଧି ।

ଫଟୋ କଥା କହେ । ଫଟୋରୁ ସ୍ପଷ୍ଟ ଭାବେ କଲେଜରେ ବୈଠକ ହୋଇଥିବାର ଚିତ୍ର ମିଳିବା ପରେ ବି ସତ ମାନିବାକୁ ବିଜେପି ନାରାଜ । ଏହାକୁ ଭିତ୍ତିହୀନ କହି ଏଡ଼ାଇ ଯିବାକୁ ଦଳ ଚେଷ୍ଟା କରିଛି । ଯେଉଁମାନଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆସିଛି, ସେମାନଙ୍କର ପ୍ରତିକ୍ରିୟା ମିଳିପାରିନି ।

ନୂଆପଡ଼ା ଉପନିର୍ବାଚନରେ ଶାସକ ଦଳ ସରକାରୀ କଳ ଓ ବଳ ଲଗାଇବାକୁ ଚେଷ୍ଟା କରିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ପଡ଼ୋଶୀ ଛତିଶଗଡ଼ରେ ବିଜେପି ସରକାର ଥିବାରୁ, ସେଠାକାର ମାଳମାଳ ବିଜେପି ନେତା ଏବେ ନୂଆପଡ଼ାରେ ଡେରା ପକାଇଛନ୍ତି । ଏସବୁ ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି ।