ନୂଆପଡ଼ା ଉପନିର୍ବାଚନ : ଜଣେ ପ୍ରାର୍ଥୀ ମାତ୍ର ଭରିଛନ୍ତି ନାମାଙ୍କନ

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଏଯାବତ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସ୍ବାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ୧୮ ତାରିଖରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି । ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଦିଆଯାଇଥିଲା । ସେହିପରି ଆସନ୍ତା ସୋମବାର ଅର୍ଥାତ ୨୦ ତାରିଖରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନପତ୍ର ଦାଖଲ କରିବେ । ନୂଆପଡ଼ାରେ ତାଙ୍କ ପାଇଁ ନବୀନ ପଟ୍ଟନାୟକ କରିବେ ପ୍ରଚାର।
ଏନେଇ ଦଳର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି, ମହିଳାଙ୍କୁ ସବୁବେଳେ ନବୀନ ପଟ୍ଟନାୟକ ସମ୍ମାନ ଦେଇଆସିଛନ୍ତି । ବିଜେଡି ନୂଆପଡ଼ାରେ ବିଜୟୀ ହେବ। ମହିଳାମାନେ ଏକଜୁଟ ହୋଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବେ। ବିଜେପି ଓ କଂଗ୍ରେସ ମହିଳାମାନଙ୍କୁ ଆଗକୁ ଯିବାକୁ ଦିଅନ୍ତନି। ବିଜେଡି ସଭାପତି ସବୁବେଳେ ମହିଳାମାନଙ୍କୁ ଆଗକୁ ନିଅନ୍ତି । ନୂଆପଡା ଉପନିର୍ବାଚନ ଲାଗି ମୋଟ ୧୫ ଗୋଟି ଫର୍ମ ବିକ୍ରି ହୋଇଛି । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ ସୋମବାର ତାରିଖ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ ଶୁକ୍ରବାର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।