ନୂଆପଡ଼ା ରାଜନୀତି: ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା ଓ ଆଦିବାସୀ ଭୋଟର

ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ବାଜି ଜିତିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ଜୋରଦାର ଉଦ୍ୟମ । ନୂଆପଡାରେ ଚାଷୀ, ମହିଳା ଓ ଆଦିବାସୀ ଭୋଟ ଉପରେ ରହିଛି ସବୁ ଦଳର ନଜର । ବିଜେପି ଇନପୁଟ ସବସିଡିକୁ ନେଇ ଚାଷୀଙ୍କ ମନ ଜିଣିବାକୁ ମୂଳ ଅସ୍ତ୍ର କରିଥିବା ବେଳେ, ସାର ଅଭାବ, ଧାନର କଟନି ଛଟନିକୁ ପ୍ରସଙ୍ଗ କରିବେ ବିରୋଧୀ । ଯାହାକୁ ନେଇ ନୂଆପଡ଼ାରେ ସରଗରମ ହୋଇଛି ଚାଷୀ ରାଜନୀତି ।
ବିଜେପି କହୁଛି ଗୋଟେ, କରୁଛି ଆଉ ଗୋଟେ । ଇନପୁଟ ସବସିଡି ଚାଷୀଙ୍କୁ ଦେଲେ, ତାହା ବି ପାନ୍ତରଅନ୍ତର ନୀତିରେ । ସବୁ ଚାଷୀଙ୍କୁ କହି ଲୋକ ଦେଖାଣିଆ ଭାବେ ଇନପୁଟ ସବସିଡି ଦେଲେ । କିନ୍ତୁ ସବସିଡି ପାଇଲେ ନାହିଁ ଭାଗଚାଷୀ ଓ ଛୋଟ ଚାଷୀ । ଧାନ କିଣାରେ କଟନି ଛଟନି ହେବ ନାହିଁ ବୋଲି ଘୋଷଣା କରି ୫ରୁ ୧୦ କେଜି ଯାଏଁ କାଟିଲେ । ସାର ଅଭାବ କଥା ନକହିଲେ ଭଲ । ବିଜେପି ସମୟରେ ଚାଷୀ ସମସ୍ୟା ଦ୍ବିଗୁଣିତ ହୋଇଛି । ନୂଆପଡା ଚାଷୀ ଏକଥା ବୁଝି ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ କଳିକେଶ ସିଂହଦେଓ । ୧୬ ମାସର ବିଜେପି ସରକାରରେ ଶେଷ ସୀମାରେ ପହଞ୍ଚିଛି ଭ୍ରଷ୍ଟ୍ରାଚାର । କେବଳ ସେତିକି ନୁହେଁ, ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା । ତେଉ ଉପନିର୍ବାଚନ ଜନତା ଦୃଢ଼ ଜବାବ ଦେବେ ବୋଲି କହିଛି ବିଜେଡି ।
ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ନୂଆପଡାରେ ପ୍ରସଙ୍ଗ ପାରଦ ସେତିକି ଉପର ମୁହାଁ ହେଉଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ନୂଆପଡ଼ାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ହେବ ଲଢ଼େଇ । ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକିଛି । ୩୦୦ ୟୁନିଟ ମାଗଣା ବିଜୁଳି, ୩ ହଜାର ଟଙ୍କା ଭତ୍ତା, ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା କୁଆଡେ ଗଲା ବୋଲି ପ୍ରଶ୍ନ କଲେଣି ନୂଆପଡାବାସୀ । ବିଜେପି ଶାସନରେ ଥାଇ ମଧ୍ୟ ପ୍ରାର୍ଥୀ ପାଇଲେନି । ଓଲଟି ବିଜେଡି ପ୍ରାର୍ଥୀଙ୍କୁ ଚୋରି କରି ପ୍ରାର୍ଥୀ କଲେ । ଯାହାକୁ ନେଇ ନିଜ ଦଳରେ ଦେଖାଦେଲାଣି ଅସନ୍ତୋଷ । ସେପଟେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ବିଜେପିର ନିର୍ବାଚନୀ ପ୍ରତିଶୃତି ପାଲଟିଛି ପାଣିର ଗାର । ଜବାବ ଦେବାକୁ ଯାଇ ବିଜେପି କହିଛି, ଚାଷୀଙ୍କୁ ୮୦୦ ଟଙ୍କା ବୋନସ ସହ ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ସାମିଲ କରାଯାଇଛି । ନୂଆପଡ଼ାବାସୀଙ୍କ ଦାବିକୁ ସରକାର ପୂରଣ କରିଛନ୍ତି ।
ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ୩ ପ୍ରମୁଖ ରାଜନୈତିକ ଦଳ ଗଡ଼ ଜିତିବାକୁ ମାରାଥନ ଉଦ୍ୟମ କରିବେ । ମଇଦାନକୁ ଓହ୍ଲାଇ ନିଜ ଦଳର ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ ଷ୍ଟାର ପ୍ରଚାରକ । ତେବେ ନୂଆପଡା ନିର୍ବାଚନରେ ଚାଷୀ, ମହିଳା, ଆଦିବାସୀ ଭୋଟକୁ ନେଇ ଆକ୍ଷେପ ଓ ପ୍ରତି ଆକ୍ଷେପ ରାଜନୀତି ଆରମ୍ଭ ହୋଇଥିବା ବେଳେ, କାହାକୁ ମିଳିବ ଜନମତ, ତାହା ୧୪ ତାରିଖ ଗଣତିରେ ହେବ ସ୍ପଷ୍ଟ ।