ଅକ୍ଟୋବର ଆସିଲେ ଛାତିରେ ପଶେ ଛନକା : ମାଡ଼ିବସେ ବାତ୍ୟା ଭୟ

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ଆସିଲେ ଛାତିରେ ପଶେ ଛନକା। ମାଡ଼ିବସେ ବାତ୍ୟା ଭୟ। ଜଳରୁ ସ୍ଥଳ ରଚେ ତାଣ୍ଡବ।  ଓଡିଶାକୁ ବଡ଼ ବଡ଼ ବାତ୍ୟା ଏହି ଅକ୍ଟୋବର ମାସରେ ହିଁ ଆସିଛି। ବାତ୍ୟା ଆସିଲେ ଏକମାତ୍ର ଭରସା ବାତ୍ୟା ଆଶ୍ରୟ ସ୍ଥଳୀ । ଚଳିତବର୍ଷ ଅନେକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ କେବଳ ରଙ୍ଗ ମରାଯାଇ କାମ ସାରି ଦିଆଯାଇଛି। ବେଫିକର ପ୍ରଶାସନ। ପରିଚାଳନା ଗତ ତ୍ରୁଟି ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ।

ଆସୁଛି ବାତ୍ୟା ମୋନ୍ଥା। ସରକାର କହୁଛନ୍ତି ଉଦ୍ଧାରକାରୀ ଦଳଠାରୁ ସମସ୍ତେ ପ୍ରସ୍ତୁତ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। କିନ୍ତୁ ଅସ୍ତରଙ୍ଗ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ନାହିଁ ପାଣି କିମ୍ବା କିଛି ଆନୁସଙ୍ଗିକ ବ୍ୟବସ୍ଥା। କେବଳ ରଙ୍ଗ ମାରି କାମ ସାରିଦେଇଛନ୍ତି ଏବର ବିଜେପି ସରକାର। ୧୯୯୯ ମହାବାତ୍ୟା। ୨୦୧୩ ଫାଇଲିନ । ୨୦୧୪ହୁଡହୁଡ । ୨୦୧୮ତିତଲି ଓ ୨୦୧୯  ଫନି ଭଳି ବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିଲା । ପୂର୍ବ ସରକାର ସମୟରେ ଦୁର୍ବିପାକରେ ଜିରୋ କାଜୁଆଲଟି ଥିଲା ମହାମନ୍ତ୍ର। ସଜାଗ ଥିଲା ପ୍ରଶାସନ। ଏବେ କ୍ଷମତା ପରିବର୍ତ୍ତନ ପରେ଼ ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟ ସ୍ଥଳୀ। ରକ୍ଷଣା ବେକ୍ଷଣ ଅଭାବରୁ ପାଲଟିଛି ଭୂତକୋଠି । କେଉଁଠି ଭାଙ୍ଗିରୁଜି ଗଲାଣି ତ କେଉଁଠି ସରୀସୃପଙ୍କ ବାସସ୍ଥଳୀ ପାଲଟିଛି।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସମୁଦ୍ର ଠାରୁ ଅନତି ଦୂରରେ ଅବସ୍ଥିତ ଗାଁ ଗୁଡିକ । କୌଣସି ବିପର୍ଯ୍ୟୟ ଆସିଲେ ଏହି ଅସୁରକ୍ଷିତ ଜରାଜୀର୍ଣ୍ଣ ଆଶ୍ରୟସ୍ଥଳୀ ହିଁ ଏକମାତ୍ର ଭରସା । ମହାବାତ୍ୟା ପରେ ପୁରୀ ଜିଲ୍ଲା ଉପକୂଳବାସୀଙ୍କ ସୁରକ୍ଷା ପାଇଁ ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା । ଓସଡ଼ମା ଓ ରେଡକ୍ରସ ଦ୍ୱାରା ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପରିଚାଳନା ଅଭାବରୁ ଭାଙ୍ଗିରୁଜି ଗଲାଣି। । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ। ପୁଣି ଅକ୍ଟୋବର ମାସରେ ବାତ୍ୟା ଆସୁଥିବାରୁ ଏଥର ବାତ୍ୟା କେତେ କ୍ଷତି କରିବ ତାକୁ ନେଇ ଏବେଠୁ ଭୟ ଘାରିଲାଣି।