ବାତ୍ୟାର ମାସ ଅକ୍ଟୋବର, ୨ ଦଶନ୍ଧି ଭିତରେ ଓଡ଼ିଶା ସାମ୍ନା କରିଥିବା ୪ ବାତ୍ୟା

October Cyclone History Of Odisha

ଭୁବନେଶ୍ୱର: ୫୦ ବର୍ଷ ଭିତରେ ଅନେକ ବାତ୍ୟାର ସାମ୍ନା କରିଛି ଓଡ଼ିଶା । ୧୯୯୯ ମହାବାତ୍ୟା ପରେ ଓଡ଼ିଶାର ବାତ୍ୟା ମୁକାବିଲା ରଣକୌଶଳ ବଦଳିଥିବା ବେଳେ କମ୍ ଧନଜୀବନ କ୍ଷୟ ହେଉଛି । ତଥାପି ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ । ୧୯୯୯ ଅକ୍ଟୋବର ୨୯ରେ ପାରାଦୀପରେ ମାଡ଼ ହୋଇଥିଲା ମହାବାତ୍ୟା । ଦେଖୁ ଦେଖୁ ଚାଲି ଯାଇଥିଲା ୧୦ ହଜାରରୁ ଅଧିକ ଜୀବନ ।

ଏହାପରେ ବାତ୍ୟା ଆସିଛି, ଯାହାର ସଫଳ ମୁକାବିଲା କରିଛି ଓଡ଼ିଶା । ୨୦୧୩ ଓ ୨୦୧୪ ମସିହା ଅକ୍ଟୋବର ମାସରେ ଓଡ଼ିଶା ଲଗାତାର ୨ଟି ଅତି ଭୀଷଣ ବାତ୍ୟାକୁ ସଫଳତାର ସହ ସାମ୍ନା କରିଛି । ୨୦୧୩ ଅକ୍ଟୋବର ୧୨ ତାରିଖରେ ପାରାଦୀପରେ ମାଡ଼ ହୋଇଥିଲା ବାତ୍ୟା ଫାଇଲିନ୍ । ଘଣ୍ଟାପ୍ରତି ୨୧୫ କିଲୋମିଟର ବେଗରେ ବହିଥିଲା ପବନ । ବାତ୍ୟାରେ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧.୩ କୋଟି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ହୋଇଥିଲେ ।

October Cyclone History Of Odisha

ସେହିଭଳି ୨୦୧୪ ଅକ୍ଟୋବର ୧୨ରେ ବିଶାଖପାଟ୍ଟମଣରେ ଉପକୂଳ ଛୁଇଁଥିଲା ବାତ୍ୟା ହୁଡହୁଡ୍ । ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ବହିଥିଲା ପବନ । ୩ ଜଣଙ୍କ ପ୍ରାଣହାନି ହୋଇଥିଲା ।  ୨୦୧୮ ଅକ୍ଟୋବର ୧୧ରେ ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା ଅତି ଭୀଷଣ ବାତ୍ୟା ତିତଲି । ୧୫୦ କିଲୋମିଟର ବେଗରେ ପବନ ହୋଇଥିଲା । ୭୭ ଜଣଙ୍କ ଜୀବନ ଯିବା ସହ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ୨୦୧୮ ଗୋଟିଏ ବର୍ଷରେ ଓଡ଼ିଶା ସାମ୍ନା କରିଥିଲା ଦୁଇ ଦୁଇଟି ବାତ୍ୟାକୁ ।

ଏବେ ପୁଣି ଅକ୍ଟୋବରରେ ବାତ୍ୟା ଭୟ ଲୋକଙ୍କୁ ଘାରିଛି । ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟା ଆଶଙ୍କା କରୁଛନ୍ତି ପାଣିପାଗ ବିଜ୍ଞାନୀ । ତେବେ ଆଶ୍ୱସ୍ତିର କଥା ଦକ୍ଷିଣପଶ୍ଚିମ ବାୟୁ ଫେରୁଥିବାରୁ ଲଘୁଚାପ ସୃଷ୍ଟି ହେବା ବିଳମ୍ବ ହେଉଛି । ତେବେ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ ।

Leave a Reply