ଓଡ଼ିଆ ସିନେମା ପାଇଁ ଏକ ଗର୍ବର ମୁହୂର୍ତ୍ତ । IFFI, ଗୋଆର ୫୬ତମ ସଂସ୍କରଣରେ ବିଶ୍ବ ପ୍ରିମିୟର (ପ୍ରଥମ ପ୍ରଦର୍ଶନ) ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ବିନ୍ଦୁସାଗର’ ମନୋନୀତ ହୋଇଛି । ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ ୨୦୨୫ର ଗାଲା ପ୍ରେଜେଣ୍ଟେସନ ବିଭାଗରେ ‘ବିନ୍ଦୁସାଗର’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଅଭିଷେକ ସ୍ବାଇଁଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଅଭିଷେକ ଦାସଙ୍କ ଦ୍ବାରା ଲିଖିତ, ‘ବିନ୍ଦୁସାଗର’ ଫିଲ୍ମକୁ ପ୍ଲାଟୁନ ଓ୍ବାନ୍ ଫିଲ୍ମସର ଶିଳାଦିତ୍ୟ ବୋରା ଓ ବାଉଣ୍ଡଲେସ ବ୍ଲାକବକ୍ ଫିଲ୍ମସର ବିନୟ ରେଡ୍ଡୀ ଓ ଶୁଭ ଶେଖର ଭଟ୍ଟାଚାର୍ଯ୍ୟଙ୍କ ସହ MDC ଫିଲ୍ମ ଓ୍ବାର୍କସର ନିଖିଳ ଚୌଧୁରୀଙ୍କ ସହଯୋଗରେ ନିର୍ମାଣ କରାଯାଇଛି ।
ଏହି ଫିଲ୍ମରେ ପ୍ରକୃତି ମିଶ୍ର, ଦୀପନ୍ବିତ ଦାଶମହାପାତ୍ର, ସୋନାଲୀ ଶର୍ମିଷ୍ଠା ଏବଂ ସତ୍ୟ ରଞ୍ଜନଙ୍କ ସହ ସୁକାନ୍ତ ରଥ, ରବିନ ଦାସ ଓ ପ୍ରଣବ ରଥଙ୍କ ପରି ବହୁ ବରିଷ୍ଠ କଳାକାରମାନେ ଅଭିନୟ କରିଛନ୍ତି । ଫିଲ୍ମରେ ନୂଆ ଓ ପୁରୁଣା ପିଢ଼ିର କଳାକାରଙ୍କ ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଛି ।
ସମ୍ବେଦନଶୀଳତା ଓ କାବ୍ୟିକ ଦୃଶ୍ୟ ଶୈଳୀରେ ଚିତ୍ରିତ, ‘ବିନ୍ଦୁସାଗର’ ଓଡ଼ିଆ ସଂସ୍କୃତିରେ ମୂଳଦୁଆ ଥିବା ଏକ ସରଳ, ସାଙ୍ଗୀତିକ ପ୍ରେମ କାହାଣୀ ଏହି ଚଳଚ୍ଚିତ୍ର ସହିତ ଓଡ଼ିଆ ସିନେମାରେ ପ୍ଲାଟୁନ୍ ଓ୍ବାନ୍ ଫିଲ୍ମସ୍ ପ୍ରବେଶ କରିବାକୁ ଯାଉଛି । ଏହି କାହାଣୀ ଜଣେ ପ୍ରବାସୀ ଭାରତୀୟ ଯୁବତୀଙ୍କ ମୂଳ ସହିତ ପୁନଃ ସଂଯୋଗର ଯାତ୍ରାକୁ ଅନୁସରଣ କରେ, ଯିଏ ଆଶାର ସନ୍ଧାନରେ ଥିବା ଏକ ଶୋକାକୁଳ ପିତାଙ୍କ ସହ ଭେଟେ । ଭାରତର ଅନ୍ୟତମ ପ୍ରାଚୀନ ଏବଂ ଆଧ୍ୟାତ୍ମିକତାରେ ସମୃଦ୍ଧ ସହର ଭୁବନେଶ୍ବରରେ ସେମାନେ ଭେଟ ହୁଅନ୍ତି, ଯାହା ନିଜକୁ ପୁନଃ ଆବିଷ୍କାରର ଏକ ଯାତ୍ରାର ରୂପ ନେଇଯାଏ ।

