ନନ୍ଦିଘୋଷ ବ୍ୟୁରୋ : ସୁଦାନରେ ଓଡ଼ିଆ ଅପହୃତ। ଜଗତସିଂହପୁରର ଆଦର୍ଶ ବେହେରା ନାମକ ଜଣେ ଯୁବକଙ୍କୁ ଅପହରଣ କରିଛନ୍ତି ରାପିଡ ସପୋର୍ଟ ଫୋର୍ସ ବା ଆରଏସଏଫ। ଜାରି ହୋଇଥିବା ଫଟୋରେ ଦୁଇ ଆରଏସଏଫ ଯବାନଙ୍କ ମଝିରେ ବସିଛନ୍ତି ଆଦର୍ଶ। ସେମାନଙ୍କ ଭିତରୁ ଜଣେ ଯବାନ ଆଦର୍ଶଙ୍କୁ ଶାହାରୁଖ ଖାଁକୁ ଜାଣିଛନ୍ତି କି ବୋଲି ପ୍ରଶ୍ନ କରିଥୂବା ସୂଚନା ମିଳିଛି। ଅନ୍ୟ ଜଣେ ଯବାନ ଆରଏସଏଫ ନେତା ମହମ୍ମଦ ହାମଦାନ ଦାଗାଲୋଙ୍କ ନାଁରେ ଜୟଧ୍ବନି କରିବାକୁ କହିଥିବା ଜଣାଯାଇଛି।
ଖାରତୋମରୁ ୧୦୦୦ କିଲୋମିଟର ଦୂର ଅଲ ଫାସିର ସହରରୁ ୩୬ ବର୍ଷ ବୟସ୍କ ଆଦର୍ଶଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଆରଏସଏଫର ଦୁର୍ଗ କୁହାଯାଉଥିବା ନ୍ୟାଲା ସିଟିକୁ ନିଆଯାଇଥିବା କୁହାଯାଉଛି। ଗତ ୨୦୨୨ରୁ ସୁଦାନରେ ଆଦର୍ଶ ସୁକରାତି ପ୍ଲାଷ୍ଟିକ କାରଖାନାରେ ଚାକିରି କରୁଥିବା କହିଛନ୍ତି ପତ୍ନୀ ସୁସ୍ମିତା। ତାଙ୍କର ୨ଟି ସନ୍ତାନ ରହିଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ଓଡ଼ିଶା ସରକାରଙ୍କ ନିକଟରେ ଆଦର୍ଶ ଅନୁରୋଧ କରିଥିବା ଜଣାଯାଇଛି। ଗତ ମାର୍ଚ୍ଚ ୨୨ରେ ଏସଏଏଫ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇଥିଲା। ୨୦୨୩ରୁ ବର୍ତ୍ତମାନ ସୁଦ୍ଧା ସୁଦାନରେ ସୁଦାନିଜ ଆର୍ମଡ ଫୋର୍ସେସ ବା ଏସଏଏଫ ଓ ଆରଏସଏଫ ମଧ୍ୟରେ ସଂଘର୍ଷ ଜାରି ରହିଛି। ସଂଘର୍ଷକୁ ନେଇ ସୁଦାନ ରାଜଧାନୀ ଖାର୍ତୋମ ହେଲାଣି ଧ୍ବସ୍ତବିଧ୍ବସ୍ତ। ସଂଘର୍ଷ ଯୋଗୁ ବିସ୍ଥାପିତ ହେଲେ ୧୩ ନିୟୁତରୁ ଅଧିକ ଲୋକ।

