ଝିଅର ଏକୋଇଶିଆରେ କହିଥିଲେ ବର୍ଷପୂରାଣି ଧୁମଧାମରେ ପାଳନ କରିବି ହେଲେ ତା ପୂର୍ବରୁ ସହିଦ ହୋଇଗଲେ ଦେବାଶିଷ

ପୁରୀ: ଜାନୁଆରୀରେ ଆସିଥିଲେ । ଦେଶ ମାତୃକାର ସେବା ପାଇଁ ଫେବ୍ରୁଆରୀରେ ପୁଣି ବାହୁଡିଥିଲେ । କଅଁଳା ଝିଅକୁ ପ୍ରତିଶ୍ରୁତି ଦେଇଥିଲେ ଶୀଘ୍ର ଫେରିବେ । ତାକୁ କୋଳରେ ଧରିବେ । ଗେଲ କରିବେ, ବୋକୋ ଦେବେ । ଝିଅର ଏକୋଇଶିଆ ଭୋଜି ବେଳେ କହିଥିଲେ ବର୍ଷପୂରାଣି ଭୋଜି ବି ଧୁମଧାମରେ ସେଲିବ୍ରେଟ ହେବ । ହେଲେ କାଳର ହିସାବ ଥିଲା କିଛି ଅଲଗା । ସବୁକିଛି ଅଧୁରା ରହିଗଲା । ସମସ୍ତଙ୍କ ଆଖିରେ ଲୁହ ଦେଇ ଦେବାଶିଷଙ୍କୁ ପାଖକୁ ନେଇଗଲା ଦଇବ । ଗତବର୍ଷ ଅକ୍ଷୟ ତୃତୀୟାରେ ଦେବାଶିଷଙ୍କ ବାହାଘର ହୋଇଥିଲା । ନିମାପଡା ବ୍ଲକର ବନ୍ଧୁ ଗାଁ ସୁଶ୍ରୀସଙ୍ଗିତାଙ୍କୁ ବିବାହ କରିଥିଲେ ଦେବାଶିଷ ।

୫ ମାସ ତଳେ ଝିଅ ଜନ୍ମହେବା ଖୁସିରେ ଛୁଟିରେ ଗାଁକୁ ଆସି ଫେବ୍ରୁଆରୀରେ ପୁଣି ଡ୍ୟୁଟିରେ ଯୋଗଦେଇଥିଲେ । ୨୦୧୨ ମସିହାରେ ସେନାରେ ସିପାହୀ ଭାବରେ ନିଯୁକ୍ତି ପାଇଥିବା ଦେବାଶିଷ ପଦୋନ୍ନତି ପାଇବା ପରେ ଜାମ୍ମୁ କାଶ୍ମୀରରେ ଡ୍ୟୁଟି କରୁଥିଲେ । କିଛି ଦିନ ତଳେ ଭିଡିଓ କଲ କରି ପରିବାର ସହ କଥା ହୋଇଥିଲେ । ବନ୍ଧୁକ ଓ ଗୁଳି ଦେଖାଇ ହସିହସି କହିଥିଲେ ଶୀଘ୍ର ଫେରିବେ । ହେଲେ ଗତକାଲି ଘରେ ପହଞ୍ଚିଥିଲା ଅଶୁଭ ଖବର ।

ଆତଙ୍କୀଙ୍କ ଗୁଳି ବାରୁଦରେ ସେ ସହିଦ ହୋଇଥିବା ଖବର ଦେଇଥିଲେ ଉପରିସ୍ଥ ଅଫିସର । ଏବେ କାନ୍ଥରୁ ଲିଭିନଥିବା ଶୁଭ ପରିଣୟର ଚିତ୍ରକୁ ଦେଖି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ । ବାପ ଛେଉଁଣ୍ଡ ପାଞ୍ଚ ମାସର ଛୁଆକୁ ଦେଖି ଆଖିରୁ ଲୁହ ଗଡାଉଛନ୍ତି ପରିବାର ଆତ୍ମୀୟ ସ୍ବଜନ । ଦେବାଶିଷ ଅମର ରହେ ସ୍ଲୋଗାନରେ ଫାଟି ପଡୁଛି ପୁରୀ ଜିଲ୍ଲା ଅଳଗୁମା ପଞ୍ଚୟତ ଖଣ୍ଡାୟତ ସାହି । ସମସ୍ତଙ୍କ ହୃଦୟରେ କୋହ । ହେଲେ ବି ନିଜକୁ ସହିଦଙ୍କ ପାଇଁ ଗୌରାବନ୍ବିତ ମନେକରିଛନ୍ତି ।

ସେପଟେ ସୁନା ପୁଅକୁ ହରାଇ ସ୍ତବ୍ଧ ଜାଗେଶ୍ବରୀ ବିଦ୍ୟାପୀଠ । କୋହଭରା କଣ୍ଠରେ ଦେବାଶିଷ ପଢିଥିବା ସମୟକୁ ମନେ ପକାଇଛନ୍ତି ଶିକ୍ଷକ, ଶିକ୍ଷୟତ୍ରୀ ଓ ସାଙ୍ଗସାଥୀ । ସେ ବେଶ ପରୋପକାରୀ, ସାହାଯ୍ୟକାରୀ ଛାତ୍ର ଥିବା କହିଛନ୍ତି ଶିକ୍ଷୟତ୍ରୀ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦେବାଶିଷଙ୍କ ଅନ୍ତିମ ସଂସ୍କାର ଗାଁ ମଶାଣୀରେ କରାଯିବ । ନିଜର ଅତି ପ୍ରିୟ ଦେବାଶିଷଙ୍କୁ ଅନ୍ତିମ ବିଦ୍ୟାୟ ଦେବାକୁ ଶ୍ମାଶାନକୁ ପରିଷ୍କାର କରିବାରେ ଲାଗି ପଡିଛନ୍ତି ଗାଁ ଯୁବକ ।