ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ହାଇଦ୍ରାବାଦ ପେଟବଶିରାବାଦ ଅଞ୍ଚଳରେ ଚାଞ୍ଚଲ୍ୟ

ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ହାଇଦ୍ରାବାଦ ପେଟବଶିରାବାଦ ଅଞ୍ଚଳରେ ଚାଞ୍ଚଲ୍ୟ । କମ୍ପାନୀ କ୍ବାର୍ଟରରୁ ମିଳିଲା ମୃତଦେହ । ସ୍ବାମୀଙ୍କ ଅନୁପସ୍ଥିତିରେ ନାରକୀୟ କାଣ୍ଡ । ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଭରତପୁର ଅଞ୍ଚଳରେ ରହୁଥିବା ଅନିନ୍ଦିତା ମହନ୍ତ ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳର ଗୌତମ ଚରଣ ଘଡାଇଙ୍କୁ ବିବାହ କରିଥିଲେ । ତାଙ୍କର ୪ ବର୍ଷର ପୁଅଟିଏ ରହିଛି । ସ୍ୱାମୀ ଅଳ୍ପନା ନାମକ ଏକ କମ୍ପାନୀରେ କାମ କରିବାକୁ ୬ ମାସ ପୂର୍ବେ ପୁଅକୁ ନେଇ ହାଇଦ୍ରାବାଦ ଯାଇଥିଲେ ଦମ୍ପତି । ସ୍ବାମୀ ଇଲେକ୍ଟ୍ରୋନିକ ରକ୍ଷଣାବେକ୍ଷଣା ବିଭାଗରେ କାମ କରୁଥିବାବେଳେ କମ୍ୟୁନିଟି ସେଣ୍ଟରରେ ପିଲାଙ୍କୁ ପାଠ ପଢାନ୍ତି ଅନିନ୍ଦିତା । କମ୍ପାନୀ ପରିସରରେ ଥିବା କ୍ୱାର୍ଟରେ ରହୁଥିଲେ ପରିବାର । ନିକଟରେ ସ୍ୱାମୀଙ୍କର ଦୁବାଇର ଏକ କମ୍ପାନୀରେ ଚାକିରି ସ୍ଥିର ହୋଇ ଯାଇଥିଲା । ହେଲେ ପାସପୋର୍ଟରେ ନାଁ ତ୍ରୁଟି ଥିବାରୁ ସଂଶୋଧନ କରିବା ପାଇଁ ସ୍ବାମୀ ତାଙ୍କ ପୁଅକୁ ନେଇ ଗତ ଶନିବାର ଭୁବନେଶ୍ଵରରେ ଆସିଥିଲେ । ଗୁରୁବାର ରାତିରେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ କରି ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ । ସେଠାରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ ।
ଏକମାତ୍ର ଝିଅର ମୃତ୍ୟୁ ଖବର ପାଇଁ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ଏକାକୀ ଥିବାରୁ ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଝିଅକୁ ଦୁଷ୍କର୍ମ କରି ମାରିଥିବା ସେହି କମ୍ପାନୀର ଜଣେ କର୍ମଚାରୀ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଦୋଷୀକୁ ଉଚିତ୍ ଦଣ୍ଡ ଦେବା ସହ ହାଇଦ୍ରାବାଦ ଯାଇଥିବା ସ୍ବାମୀ ଗୌତମଙ୍କୁ ସେଠାରେ କେହି ସହଯୋଗ କରୁ ନଥିବାରୁ ମୃତଦେହ କିପରି ଆସିବ ସେନେଇ ଚିନ୍ତାରେ ପରିବାର । ପରିବାର ଗରିବ ହୋଇଥିବାରୁ ହାଇଦ୍ରାବାଦ ଯାଇ ଲଢିବା ସମ୍ଭବ ନୁହେଁ । ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ପରିବାର ସଦସ୍ୟ ଗୁହାରି କରିଛନ୍ତି ।