ମାଓବାଦୀଙ୍କ ଦ୍ବାରା ୫ ହଜାର କେଜି ବିସ୍ଫୋରକ ଲୁଟ ପରେ ପୋଲିସର ବଡ଼ ଆକ୍ସନ, ଜଙ୍ଗଲର ଚାଲିଛି ଚପ୍ପା ଚପ୍ପା ଯାଞ୍ଚ

1 min read

ନନ୍ଦିଘୋଷ ବ୍ୟୁରୋ: କୁଆଡେ ଗଲା ୫ ଟନ ବିସ୍ଫୋରକ ? ସରଣ୍ଡା ଜଙ୍ଗଲରେ ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନକୁ ଆଜି ବି ଜୋରଦାର କରାଯାଇଛି । ଅପରେସନରେ ସାମିଲ ହୋଇଛନ୍ତି ଓଡ଼ିଶା ଓ ଝାଡଖଣ୍ଡ ପୋଲିସ ସହ ଏସଓଜି, କୋବ୍ରା, ସିଆରପିଏଫ ଓ ଝାଡ଼ଖଣ୍ଡ ଜାଗୁଆର । ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଗତକାଲି ଓଡ଼ିଶା-ଝାଡଖଣ୍ଡ ପୋଲିସ ପକ୍ଷରୁ ସେମାନଙ୍କ କ୍ୟାମ୍ପ ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

ମାଓବାଦୀଙ୍କ ବାରୁଦ ଲୁଟ ପରେ ପୋଲିସର ବଡ଼ ଆକ୍ସନ । ସୁନ୍ଦରଗଡ କେ-ବଲାଙ୍ଗ ଜଙ୍ଗଲର ଚପ୍ପା ଚପ୍ପା ଚାଲିଛି ଯାଞ୍ଚ । ଗ୍ରାଉଣ୍ଡ ଜିରୋରେ କମ୍ବିଂ ଅପରେସନ୍ ଜାରି ରଖିଛନ୍ତି ଯବାନ । ସୁନ୍ଦରଗଡ଼ କେ-ବଲାଙ୍ଗ ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟି ନେଇଥିଲେ । ଲୁଟ ବିସ୍ଫୋରକ ଜବତ ପାଇଁ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ ।

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଗତକାଲି ଓଡିଶା-ଝାଡଖଣ୍ଡ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ଏକ କ୍ଵିଣ୍ଟାଲରୁ ଅଧିକ ଜିଲୋଟିନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏହାସହ ଲୁଟ ହୋଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜଵତ କରାଯାଇଥିଲା ।

ପୋଲିସ ପକ୍ଷରୁ ଆଡିସନାଲ ଏସପିଙ୍କ ନେତୃତ୍ବରେ SITର ୫ ଜଣିଆ ଟିମ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଖଣି ବିଭାଗ ମଧ୍ୟ ତଦନ୍ତରେ ସାମିଲ ହୋଇଛି । ବିସ୍ଫୋରକ ସାମଗ୍ରୀ ଯାଇଥିବା ଗୋଦାମ ମାଲିକ, ଗୋଦାମ କର୍ମଚାରୀ, ପଥର ଖଣି କର୍ମଚାରୀଙ୍କୁ ପୋଲିସ ପକ୍ଷରୁ ପୁଣି ଥରେ ପଚରାଉଚରା କରାଯାଉଛି । ପଥର ଖଣିକୁ ୫ ହଜାର କେଜି ବିସ୍ଫୋରକ ସାମଗ୍ରୀ ମିନି ଟ୍ରକରେ କାହିଁକି ଚାଲାଣ କରାଯାଇଥିଲା ? ଖଣିରେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀର କ’ଣ ଆବଶ୍ୟକତା ଥିଲା ? ପୋଲିସ ଅନୁମତି ଓ ସୁରକ୍ଷା ବଳୟରେ କାହିଁକି ବିସ୍ଫୋରକ ଚାଲାଣ କରାଯାଇ ନଥିଲା ? ଏଭଳି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ ।