ମୌସୁମୀ ଅଧିବେଶନର ତୃତୀୟ ଦିନରେ ସରଗରମ ହେବ ଗୃହ

ନନ୍ଦିଘୋଷ ବ୍ୟୁରୋ: ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଗୃହ କାର୍ଯ୍ୟ ବେଶ ସରଗରମ ରହିବ । ରାଜ୍ୟରେ ଘୋର ସାର ଅଭାବ ରହିଛି। ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଗୃହର ସବୁ କାର୍ଯ୍ୟକୁ ବାତିଲ କରି ସ୍ୱତନ୍ତ୍ର ଆଲୋଚନା କରିବାକୁ ଦାବି କରୁଛି ବିଜେଡି। ଯାହାକୁ ନେଇ ଗୃହ ଭିତରେ ଓ ଗୃହ ବାହାରେ ବିଜେଡି ରାଜ୍ୟ ସରକାରଙ୍କୁ ଶାଣିତ ସ୍ବରରେ ସମାଲୋଚନା କରୁଛି। ସେହିପରି କଂଗ୍ରେସ ଅନାସ୍ଥା ନୋଟିସ ଆଣି ଗୃହରେ ଆଲୋଚନା ପାଇଁ ସୁଯୋଗ ଅପେକ୍ଷାରେ ରହିଛି। ଦୁଇ ବିରୋଧୀଙ୍କ ଭିନ୍ନ ଭିନ୍ନ ରଣନୀତି ଓ ଦାବି ଯୋଗୁ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ । ଗୃହର ଅଚଳ ଅବସ୍ଥା ପାଇଁ ଉଭୟ ଶାସକ ଓ ବିରୋଧୀ ପରସ୍ପର ଉପରେ ଦୋଷ ଲଦାଲଦିରେ ମାତିଥିବା ବେଳେ କଂଗ୍ରେସ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣି ଘେରିଛି ବିଜେପି। ସେପଟେ ଆଜି ଗୃହରେ ମହିଳା ଓ ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନକାଳ ରହିଥିବା ବେଳେ ଆଜି ବିଜେଡି ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଅନାସ୍ଥାକୁ ନେଇ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି। ଏପରି ସ୍ଥିତିରେ ଗୃହ କାର୍ଯ୍ୟ ସ୍ଵାଭାବିକ ଚାଲି ପାରିବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ସସ୍ପେନ୍ସ ଲାଗି ରହିଛି ।