ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ପ୍ରଶ୍ନକାଳକୁ ଚଲାଇ ଦେଉନାହାନ୍ତି ବିରୋଧୀ । ଶୀତ ଅଧିବେଶନର ଦ୍ବିତୀୟ ଦିନରେ ପ୍ରଶ୍ନକାଳକୁ ଅଚଳ କରିଛନ୍ତି ବିରୋଧୀ । ପୂର୍ବ ରଣନୀତି ଅନୁସାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥଲେ । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ବିରୋଧୀ ନିଜ ଜିଦରେ ଅଟଳ ରହି ହୋହଲ୍ଲା କରିଥିଲେ । ଅସ୍ବାଭାବିକ ସ୍ଥିତି ଉପୁଜିବାରୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି । ଆଜି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସମବାୟ, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ହେବାର ଥିଲା । ହେଲେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଚାଲି ପାରିଲାନି ପ୍ରଶ୍ନକାଳ ।