ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ, ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ
ନନ୍ଦିଘୋଷ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନ ପାଇଁ ଉଭୟ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଆସନ୍ତା ୧୬ ତାରିଖରେ ମୁଖ୍ୟ ବିରୋଧୀ ଦଳ ବିଜେଡି କରିବ ବିଧାୟକ ଦଳ ବୈଠକ । ଯେଉଁଥିଲେ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ଦଳ । ଚାଷୀ, ଧାନମଣ୍ଡି, ପ୍ରଦୂଷଣ, ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ନାରୀ ନିର୍ଯାତନା ପରି ମାଳମାଳ ପ୍ରସଙ୍ଗ ଗୃହରେ ଉଠାଇବ ଦଳ । କଂଗ୍ରେସ ମଧ୍ୟ ଚାଷୀରୁ ବିଜୁଳି ଯାଏଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବ । ସେପଟେ ଶାସକ ଦଳ କହିଛି, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଆମେ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ ।
୧୯ ମାସର ବିଜେପି ସରକାର ଚାଲୁଛି କମ, ଝୁଣ୍ଟୁଛି ଅଧିକ । ନିଷ୍ପତ୍ତି ନେବାରେ ବି ବିଫଳ ସରକାର । ଗାଁ ଗାଁରେ ବିକାଶ କାମ ଠପ । ନିର୍ବାଚନୀ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ପ୍ରଦୂଷଣ ସାର୍ଟିଫିକେଟ କଟକଣା, ଧାନ ମଣ୍ଡିରୁ ଧାନ ନ ଉଠିବା ଓ ଚାଷୀ ନିର୍ଯାତନାର ଶିକାର ହେବା, ମହାନଦୀ ନେଇ ସରକାରଙ୍କ ଉଦାସୀନତା, ନାରୀ ନିର୍ଯାତନା, ଦଳିତ ଆଦିବାସୀ ରାଜ୍ୟରେ ଅସୁରକ୍ଷିତ, ୪ ମାସ ହେବ ଭତ୍ତା ନମିଳିବା ପରି ମାଳମାଳ ପ୍ରସଙ୍ଗ ବିଜେପି ବିରୋଧରେ ଅଛି । ଲୋକଙ୍କ ସ୍ୱର ସାଜି ବିଧାନସଭାରେ ଏସବୁ ସମସ୍ୟାକୁ ନେଇ ପ୍ରଶ୍ନ କରିବ ବିଜେଡି । ଏହାସହ ଲମ୍ବା ସମୟର ବଜେଟ ଅଧିବେଶନରେ ଦଳ କେଉଁ ସବୁ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଇବ ତାହା ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି । ଆସନ୍ତା ୧୬ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ ।
କଂଗ୍ରେସ ମଧ୍ୟ ବିଜେପି ସରକାରକୁ ଘେରିବାକୁ ସଜବାଜ ଆରମ୍ଭ କରିଛି । ୧୬ ତାରିଖରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଓଡିଶା ଜନମାନସର ଯେଉଁ ସମସ୍ୟା ରହିଛି , ତାହାକୁ ସରକାର ଅଣଦେଖା କରୁଛନ୍ତି । ସେହି ସବୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । ଚାଷୀମାନଙ୍କ ସମସ୍ୟାକୁ ନେଇ ଆଗାମୀ ଦିନରେ ଜୋରଦାର ଲଢେଇ କରିବ କଂଗ୍ରେସ । ବିଜେପି କହିଛି, ବିଧାନସଭାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଦଳ ସେ ସବୁର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି ।

