ବିଧାନସଭା ମୌସୁମୀ ଅଧିବେଶନ: ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବି, ବାଚସ୍ପତି ଡାକିଲେ ସବର୍ଦଳୀୟ ବୈଠକ

1 min read

ଭୁବନେଶ୍ବର: ତୃତୀୟ ଦିନ ମୌସୁମୀ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଚାଲି ପାରିଲାନି ଗୃହ । ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଏହାସହ ଗୃହ ସୁପରିଚାଳନା ପାଇଁ ଡକାଇଲେ ସର୍ବଦଳୀୟ ବୈଠକ ।

ବିଜେପି ସଦସ୍ୟମାନେ ହାତରେ କଳାପଟି ବାନ୍ଧି ବିଧାନସଭାକୁ ପ୍ରବେଶ କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ ବିଜେପି ବିଧାୟକ । ସେପଟେ ବିଜେଡି ବିଧାୟକମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ- ଏମଏସପି ପ୍ରସଙ୍ଗ ଉଠାଇଥିଲେ । ଅଚଳାବସ୍ଥା ଯୋଗୁଁ ଗୃହକୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ।

ବିଜେପି ବିଧାୟକଙ୍କୁ ସମାଲୋଚନା

ବିଜେପି ବିଧାୟକ ଗୃହ ଚଳାଇ ନଦେବାକୁ ନେଇ ସମାଲୋଚନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ‘ବିଧାନସଭାର ମୌସୁମୀ ଅଧିବେଶନକୁ ଆଜି ମଧ୍ୟ ଚଲାଇ ଦେଲାନି ବିଜେପି । ବିରୋଧୀ ଦଳ ଭାବେ ବିଜେପିର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୃହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନୋତ୍ତର କାଳ । ହେଲେ ବିଜେପି ସଦସ୍ୟମାନେ ଚଳାଇ ଦେଲେନି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଶା କରୁଛୁ ଗୃହ ଚାଲିବ । ବିଜେଡି ବିଭିନ୍ନ ସମୟରେ କେନ୍ଦ୍ରର ବିଭିନ୍ନ ଅବହେଳା ବିରୋଧରେ ସ୍ୱର ଉଠାଇଛି । ଆଜି ବି ସେହି ପ୍ରସଙ୍ଗ ଉଠାଇଛୁ ।’

ସେହିପରି ବିଜେପି ବିଧାୟକଙ୍କ କାର୍ଯ୍ୟକଳାପକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସମାଲୋଚନା କରିଛନ୍ତି । ସୁର କହିଛନ୍ତି, ‘ଗୃହକୁ ବିଜେପି ଚଳାଇ ଦେଉନାହିଁ l ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛି । କେବଳ ଡ୍ରାମା କରୁଛି ବିଜେପି । ଜାଣିଶୁଣି ଗୃହକୁ ଚଳାଇ ଦେଉନାହିଁ । ପ୍ରଶ୍ନକାଳ ହେଉଛି ବିଧାନସଭାର ଗୁରୁତ୍ବ ପୂର୍ଣ୍ଣ ସମୟ । ବିଧାୟକମାନେ ୧୫ଦିନ ଆଗରୁ ପ୍ରଶ୍ନ କରିଥାନ୍ତି । ତେଣୁ ଏହାକୁ ବନ୍ଦ କରା ନଯାଉ ।’

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଜେପିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଓଡ଼ିଶା ବିଧାୟକଙ୍କୁ ସମୟ ଦେଉନାହାନ୍ତି । ଏଠି ବିଜେପି ଡ୍ରାମା କରୁଛି । ଆମେ ଚାହୁଁଛୁ ବିଧାନସଭା ଚାଲୁ, ବିଜେପି ବନ୍ଦ କରି କଣ୍ଠରୋଧ କରୁଛି ।’