ରାଜ୍ୟସଭାରେ ୪ ବିଜେଡି ସାଂସଦଙ୍କ ପ୍ରଶ୍ନ; ରାଜ୍ୟରେ କେତେ ବକ୍ସାଇଟ ଉତ୍ପାଦନକାରୀ ୟୁନିଟ ଅଛି?

1 min read

ଭୁବନେଶ୍ୱର: ରାଜ୍ୟରେ କେତେ ବକ୍ସାଇଟ ଉତ୍ପାଦନକାରୀ ୟୁନିଟ ଅଛି ? ଜିଲ୍ଲାୱାରୀ କ୍ଷମତା, ଲୋକେସନ ସହ ଦୁଇ ବର୍ଷରେ କେତେ ଉତ୍ତୋଳନ ଟାର୍ଗେଟ ଥିଲା ? ଏ ନେଇ ରାଜ୍ୟସଭାରେ ପ୍ରଶ୍ନ କରିଛି ବିଜେଡି । ବିଜେଡି ପକ୍ଷରୁ ସାଂସଦ ମାନସ ମଙ୍ଗରାଜ, ଡ. ପ୍ରଶାନ୍ତ ନନ୍ଦ, ସୁଲତା ଦେଓ ଓ ନିରଞ୍ଜନ ବିଶି ଏ ପ୍ରସଙ୍ଗ ଉଠାଇଥିଲେ । ଉତ୍ତରରେ କେନ୍ଦ୍ର ଖଣି କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଯୋଶୀ କହିଥିଲେ, ଏବେ ୪ଟି ବକ୍ସାଇଟ ଉତ୍ତୋଳନ ୟୁନିଟ ରହିଛି । ରାୟଗଡ଼ା ଜିଲ୍ଲାର ପଞ୍ଚପଟମାଳି ନର୍ଥ ବ୍ଲକ, ପଞ୍ଚପଟମାଳି ସାଉଥ ବ୍ଲକ, କୋଡିଙ୍ଗାମାଳି ଓ ବାଫଲିମାଳିରେ ଚାରିଟି ବକ୍ସାଇଟ ଖଣି ରହିଛି ।

୨୦୨୧-୨୨ରେ ୪ଟି ଖଣିରୁ ୧୬୪ଲକ୍ଷ ୪୮ହଜାର ୮୪୬ ମେଟ୍ରିକ ଟନ ବକ୍ସାଇଟି ଉତ୍ତୋଳନ ହୋଇଛି । ୨୦୨୨-୨୩ରେ ୧୭୫ଲକ୍ଷ ୧ହଜାର ୯୪୮ ମେଟ୍ରିକ ଟନ୍ ବକ୍ସାଇଟ ଉତ୍ପାଦନ ହୋଇଛି । ତେବେ ଏହି ବକ୍ସାଇଟ୍ ସାଇଟଗୁଡିକରେ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ କୌଣସି ପିପିପି ମୋଡର ବ୍ୟବସ୍ଥା ନାହିଁ ବୋଲି ଗୃହରେ ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଏହଛଡ଼ା ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପଲିସି ରିଜଲ୍ୟୁସନ-୨୦୨୨ରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । ସାଂସଦ ମାନସ ମଙ୍ଗରାଜ, ଡ. ପ୍ରଶାନ୍ତ ନନ୍ଦ, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ।