ଚାଷୀଙ୍କ ପାଇଁ ଗର୍ଜିବ ବିଜେଡ଼ି ; ସାର ପାଇଁ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

ଭୁବନେଶ୍ବର : ଚାଷୀଙ୍କ ପାଇଁ ପୁଣି ଥରେ ସ୍ବର ଉତ୍ତୋଳନ କଲା ବିଜୁ ଜନତା ଦଳ । ରାଜ୍ୟରେ ଚାଲିଥିବା ସାର ସଙ୍କଟ ବିରୋଧରେ ଆଜି ଦିନ ୧୧ଟାରେ ରାଜଭବନ ଆଗରେ ଧାରଣା ଦେବ ବିଜେଡି । ବିଜେପି ସରକାରଙ୍କ ସାର ମହଜୁଦ ଦାବି ଧୂଆଁବାଣ । ଏପର୍ଯ୍ୟନ୍ତ ସବୁ ଜିଲ୍ଲାରେ ପହଞ୍ଚିପାରିଲାନି ଆବଶ୍ୟକ ସାର । ସାର ପାଇଁ ଡହଳବିକଳ ହେଉଛନ୍ତି ଚାଷୀ । ସାର ନିଅଣ୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ । ସମବାୟ ବିଭାଗର ତଥ୍ୟ କହୁଛି, ରାଜ୍ୟରେ ସାର ନିଅଣ୍ଟିଆ ରହିଛି । ସାର ଯୋଗାଣକୁ ବ୍ୟବସ୍ଥିତ ଓ କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ହେଲେ ସରକାର ସମୀକ୍ଷା ନାଁରେ କେବଳ ଅସତ୍ୟ କହିଚାଲିଛନ୍ତି ।
ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାଜ୍ୟର କୃଷକ ସମାଜକୁ ସରକାର ଭୁଆଁ ବୁଲାଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ହେଲେ କୌଣସି ସମାଧାନର ରାସ୍ତା ବାହାରି ନାହିଁ। ସାର ନିଅଣ୍ଟିଆ ସ୍ଥିତି ଯୋଗୁ କୃଷକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଦୀର୍ଘ ଦିନ ଧରି ୟୁରିଆ ଅଭାବ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଧାରକରଜ କରିଥିବା ଚାଷୀଙ୍କୁ ଏବେ ଚିନ୍ତା ଘାରିଛି ।