spot_img

Latest Posts

ରାଜ୍ୟ ବିଜେପିରେ ଗୋଷ୍ଠୀ ବିବାଦ ତୀବ୍ର, ସୀମା ଟପିଲାଣି ନେତାଙ୍କ ଅହଙ୍କାର

ଭୁବନେଶ୍ୱର: ବିଜେପିରେ ଗୋଷ୍ଠୀବିବାଦ ତୀବ୍ରରୂପ ଧାରଣ କରିଛି। କ୍ଷମତାକୁ ଆସିବା ପରେ ନେତାଙ୍କ ଅହଙ୍କାର ବଢିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ତାଗିଦ ପରେ ପଦାକୁ ଆସିଛି ବିଜେପିର ଭିତିରି କଥା। ଗୋଷ୍ଠୀ ବିବାଦ ସାଂଘାତିକ ଅବସ୍ଥାରେ ଥିବାରୁ ଦଳରେ ସ୍ଥାଣୁତା ଓ ସରକାରରେ ନିଷ୍କ୍ରିୟତା ଜାରି ରହିଛି। ୧୦ ମାସ ପରେ ବି ଜିଲ୍ଲା ଯୋଜନା କମିଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟ ଯୋଜନା ବୋର୍ଡ଼, ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମରେ ନିଯୁକ୍ତି ହୋଇପାରୁନି। ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଅଙ୍କ ବି ଛିଡୁନି। ଜିଲ୍ଲା ସ୍ତରରେ ସରକାରୀ ଓକିଲ ନିଯୁକ୍ତି ହୋଇପାରୁନାହାନ୍ତି। ବିଭିନ୍ନ ଏକାଡ଼େମୀରେ ମୁଖିଆ ପଦ ଖାଲି ପଡ଼ିଛି। ଏପରିକି ବିଜେପି ରାଜ୍ୟ ସଭାପତି ଚୟନ ବି ଘୁଞ୍ଚି ଘୁଞ୍ଚି ଚାଲିଛି। ଏଭଳି ଅବସ୍ଥାରେ ଦଳର କର୍ମୀ ଓ ନେତାଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଏସବୁ ପଛର କାରଣ ହେଉଛି ଦଳ ଭିତରେ ଅସ୍ଥିରତା ଓ ମନମାନୀ।

ଏଯାଏଁ ସମ୍ବଲପୁର ଜିଲ୍ଲା ସଭାପତି ଚୂଡ଼ାନ୍ତ ହୋଇପାରିନି। ଏଠି ବି ଚାଲିଛି ନେତାଙ୍କ ମଧ୍ୟରେ ପତିଆରା ଲଢେଇ। ମନମୋହନ ସାମଲ ପୁଣି ଥରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଉଛନ୍ତି ବୋଲି କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା। ଏବେ ତାହା ଫିକା ପଡ଼ିଗଲାଣି। ଚର୍ଚ୍ଚା ହେଉଛି ବିଜେପିରେ ତୀବ୍ର ଗୋଷ୍ଠୀ ବିବାଦ ଯୋଗୁଁ ସଭାପତି ଅଙ୍କ ଛିଡୁନାହିଁ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ଥିବା ବେଳେ ଦୁଇ ମନ୍ତ୍ରୀଙ୍କୁ ବାଦ୍ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଭିତିରି ମହଲରୁ ଶୁଣିବାକୁ ମିଳୁଛି। ହେଲେ ଏଥିପାଇଁ ବି ଗ୍ରୀନ ସିଗନାଲ ମିଳୁନାହିଁ। ଏଥିରେ ଦଳୀୟ ନେତାଙ୍କ ମଧ୍ୟରେ ସହମତି ହୋଇପାରୁନଥିବାରୁ ଏଥିରେ ବିଳମ୍ବ ହେଉଛି। ୧୦ ମାସରେ ଦଳ ଓ ସରକାରର ସ୍ଥାଣୁତା ପାଇଁ ଦଳରେ ଗୋଷ୍ଠୀବାଦ ଓ ଅବିଶ୍ବାସର ବାତାବରଣ ଦାୟୀ ବୋଲି ସମୀକ୍ଷକ ଅନୁମାନ କରିଛନ୍ତି।

ସଙ୍ଗଠନରେ ଦ୍ଵନ୍ଦ୍ଵ, ସରକାର ନିଷ୍କ୍ରିୟ। ରାଜ୍ୟ ସଭାପତି ଚୟନ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଚାଲିଛି, ନିଗମ ଓ ବୋର୍ଡ଼ ନିଯୁକ୍ତି ସେତିକି ବିଳମ୍ବିତ ହେଉଛି। ନିଜର ପତିଆରା ଦେଖାଇବାକୁ ଦଳ ଭିତରେ ଥିବା ଗୋଷ୍ଠୀର ଛକାପଞ୍ଝା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗୋଷ୍ଠୀବାଦ ସମସ୍ୟା କଥା କେନ୍ଦ୍ରୀୟ ନେତୃତ୍ବଙ୍କୁ ଜଣାଥିଲେ ବି ସମାଧାନର ବାଟ କିଛି ବାହାରି ପାରୁନାହିଁ।

Latest Posts

Don't Miss