ନୂଆବର୍ଷରେ ହୋଇପାରେ ବିଜେପିର ଥଇଥାନ ପ୍ରକ୍ରିୟା, ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି ସମ୍ଭାବନା
ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରେ ବିଜେପି ନେତାଙ୍କୁ ମିଳିବ ନୂଆ ଦାୟିତ୍ଵ । ଖୋଲିବ ନିଗମ ବୋର୍ଡ଼ ନିଯୁକ୍ତିର ପେଡ଼ି । ଖୁବ୍ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ତୁଟିଛି ଅଡୁଆ, ତାଲିକା ଚୂଡ଼ାନ୍ତ । ୨୦୨୬ରେ ସଙ୍ଗଠନକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିବ ବିଜେପି । ଜିଲ୍ଲା ସ୍ତରରେ ସରକାରୀ ଓକିଲ ନିଯୁକ୍ତି ପରେ ନିଗମ ବୋର୍ଡ ନିଯୁକ୍ତି ନେଇ ଜୋରଦାର ଚର୍ଚ୍ଚା । ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଆଇନ ମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା । ବର୍ଷର ଶେଷ ୩ ଦିନରେ ନିଗମ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବାର ଅନେକ ସମ୍ଭାବନା ରହିଛି ।
୨୩ ଜିଲ୍ଲାରେ ସରିଲା ସରକାରୀ ଓକିଲ ନିଯୁକ୍ତି । କିଛି ଜିଲ୍ଲାର ବିଜ୍ଞପ୍ତି ବାହାରିଛି, ଆଉ କିଛି ବାକି ଅଛି । ରହିଯାଇଥିବା ୭ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ଖୁବ୍ ଶୀଘ୍ର କରାଯିବ । ହେଲେ ସମସ୍ତଙ୍କ ନଜର ରହିଛି ନିଗମ ଓ ବୋର୍ଡ ନିଯୁକ୍ତି ଉପରେ । ସରକାରକୁ ଦେଢ ବର୍ଷ ପୂରିଲାଣି । ହେଲେ ବିଭିନ୍ନ ନିଗମ ଓ ବୋର୍ଡରେ ନିଯୁକ୍ତି ହୋଇପାରିନାହିଁ । ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ଟିମ୍ ସହ ବିଭିନ୍ନ ମୋର୍ଚ୍ଚା ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଛରେ ପଡ଼ିଛନ୍ତି । ମନ୍ତ୍ରିମଣ୍ଡଳରେ ୬ଟି ପଦବୀ ଖାଲି ପଡ଼ିଥିବା ବେଳେ ୩୫ଟି ସରକାରୀ ନିଗମ ଓ ବୋର୍ଡ ମୁଖିଆ ପଦ ଫାଙ୍କା ପଡ଼ିଛି । ମହିଳା କମିଶନ ଏବଂ ଶିଶୁ ସୁରକ୍ଷା ଆୟୋଗରେ ନିଯୁକ୍ତି ହୋଇଛି ସତ, ହେଲେ ବଡ଼ ବଡ଼ ନିଗମ ଏବେ ବି ମୁଖିଆ ବିହୀନ । ଜିଲ୍ଲା ସ୍ତରରେ ସରକାରୀ ଓକିଲ ନିଯୁକ୍ତି ଆରମ୍ଭ ହୋଇଛି । ଦିନେ ଦୁଇ ଦିନ ଭିତରେ ସବୁ ଜିଲ୍ଲାର କାମ ସରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସତ୍ତା ଓ ସଙ୍ଗଠନ ଉଭୟ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବାରମ୍ବାର କହି ଆସୁଛନ୍ତି । ସଙ୍ଗଠନ କାମ ଏକ ପ୍ରକାର ସରିଥିବା ବେଳେ ଏବେ ସରକାରଙ୍କ ଅଧୁରା କାମ ଆରମ୍ଭ ହୋଇଛି । ସଙ୍ଗଠନ ପାଇଁ କାମ କରିଥିବା କର୍ମକର୍ତ୍ତାଙ୍କୁ ପୁରସ୍କାର ଦେବା ପାଇଁ ନିଗମ ଓ ବୋର୍ଡ଼ ହିଁ ବଳିଷ୍ଠ ମାଧ୍ୟମ । ଭଲ କାମ କରିଥିବା ନେତାଙ୍କୁ ଏଥିରେ ଥଇଥାନ କରାଯାଏ । ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ରହିଛି ନିଗମ ଓ ବୋର୍ଡ ଉପରେ । ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦି ବୋର୍ଡ଼, ହାଉସିଂ ବୋର୍ଡ଼, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ଆଶାୟୀଙ୍କ ନଜର । ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟାଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତା ଆଶା କରିଛନ୍ତି । ଗୋଷ୍ଠୀ କନ୍ଦଳ ଯୋଗୁଁ ବିଳମ୍ବିତ ହୋଇଥିବା ନିଗମ ନିଯୁକ୍ତି ପାଇଁ ବାଟ ଫିଟିଥିବା ଜଣାପଡ଼ିଛି ।
ଅସନ୍ତୁଷ୍ଟଙ୍କୁ ମନାଇବା ସହ ଦଳ ଭିତରେ ଥିବା ଗୋଷ୍ଠୀ ବିବାଦ ଚର୍ଚ୍ଚାର ଅବସାନ ଘଟାଇବା ବିଜେପି ରାଜ୍ୟ ସଭାପତିଙ୍କ ପାଇଁ ବଡ଼ ଆହ୍ବାନ । ସତ୍ତା ଓ ସଙ୍ଗଠନ ଉଭୟକୁ ଏକା ସାଙ୍ଗରେ ନେବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।

