ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଅବହେଳା: ପଦୋନ୍ନତି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: ଦିବ୍ୟାଙ୍ଗଙ୍କୁ ଠକି ଚାଲିଛି ବିଜେପି ସରକାର । ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସରକାରଙ୍କ ଅବମାନନା । ରାଜ୍ୟରେ କାର୍ଯ୍ୟରତ ଦିବ୍ୟାଙ୍ଗ କର୍ମଚାରୀଙ୍କ ପଦୋନ୍ନତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ବେଖାତିର । ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ସରକାରଙ୍କ ଆଇନକୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର । ରାଜ୍ୟରେ କାର୍ଯ୍ୟକାରୀ ହୋଇପାରୁନାହିଁ ଭିନ୍ନକ୍ଷମ ଅଧିକାର ଆଇନ । ଦିବ୍ୟାଙ୍ଗମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଥିଲେ ମଧ୍ୟ ବିଭାଗ ଉପରେ କିଛି ଫରକ ପଡୁନାହିଁ ।
ଗଣେଶ୍ବର ବରାଳ, ଜଣେ ଦୃଷ୍ଟିବାଧିତ ଶିକ୍ଷକ । ପଦୋନ୍ନତି ପାଇଁ ୮ ବର୍ଷ ହେଲା ଅପେକ୍ଷା କରିଛନ୍ତି । ହେଲେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ ଫାଇଲ ପଡି ରହିଛି । ଆଉ ଜଣେ ହେଲେ ସେକ୍ ସମଦ କଳାପାହାଡ଼ । ଦର୍ଶନ ଶାସ୍ତ୍ର ବିଭାଗର ଅଧ୍ୟାପକ । କନିଷ୍ଠ ଅଧ୍ୟାପକରୁ ବରିଷ୍ଠ ଅଧ୍ୟାପକ ପ୍ରମୋସନ ଲାଗି ବିଭାଗକୁ ଦୌଡୁଛନ୍ତି । ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଦୃଷ୍ଟି, ଶ୍ରବଣ ଓ ବାକ୍ ବାଧିତ, ମାନସିକ ଅନଗ୍ରସର, ଶାରିରୀକ ଅକ୍ଷମତା ଦିବ୍ୟାଙ୍ଗ ବର୍ଗରେ ଆସୁଛନ୍ତି । ୨୦୨୪ ଜାନୁଆରୀରେ ମୋଟ ପଦବୀରେ ୪ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ପଦୋନ୍ନତି ଦେବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ । ହେଲେ ୧୫ ମାସରୁ ଅଧିକ ସମୟ ବିତିଲାଣି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ । ସାଧାରଣ ପ୍ରଶାସନ ବିଭାଗ ହାଇକୋର୍ଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସାମାଜିକ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବାରୁ ବିଭାଗର ଜଣେ ଅତିରିକ୍ତ ସଚିବଙ୍କୁ ଦାୟୀ କରିଛି ଉତ୍କଳ ଦୃଷ୍ଟିହୀନ ସଂଘ ।
ପଦୋନ୍ନତି କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଦେବାକୁ ସୁପ୍ରିମକୋର୍ଟ ୨୦୨୨ରେ ଏବଂ ଏହାକୁ ଆଧାର କରି ହାଇକୋର୍ଟ ୨୦୨୪ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ଆଶାୟୀମାନେ ବାରମ୍ବାର ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଦୌଡୁଛନ୍ତି । ହେଲେ ବିଭାଗର ଅଧିକାରୀମାନେ କେତେ ବେଳେ ଆଇନ ବିଭାଗର ଆଳ ଦେଖାଉଛନ୍ତି ତ ପୁଣି କେତେବେଳେ ଅର୍ଥ ବିଭାଗକୁ ଦାୟୀ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବି ୨୦୨୪ ଡିସେମ୍ବରରେ ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କେବଳ ବାହାନା ଖୋଜୁଛନ୍ତି ।
ଗୋଟେ ପଟେ ଲୋକଙ୍କ ସରକାର ସ୍ଲୋଗାନ ଜୋରସୋରରେ ଚାଲିଥିବା ବେଳେ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କୁ ଅଧିକାରରୁ ବଞ୍ଚିତ କରାଯାଉଛି । ଦିବ୍ୟାଙ୍ଗଙ୍କୁ ନ୍ୟାୟ ପାଇବା କ୍ଷେତ୍ରରେ ବିଳମ୍ବ କିମ୍ବା ପ୍ରତ୍ୟାଖାନ କରିବା ଉଚିତ ନୁହେଁ । ରାଜ୍ୟ ସରକାର ତୁରନ୍ତ ଏ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଦୃଷ୍ଟିହୀନ ସଂଘ ଦାବି କରିଛି ।