ରାଜ୍ୟ ସରକାରଙ୍କ ବଡ଼ ଝଟକା: ଅନ୍ଧକାରରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ଭାଗ୍ୟ

1 min read

ନନ୍ଦିଘୋଷ ବ୍ୟୂରୋ: ରାଜ୍ୟର ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବଡ଼ ଝଟକା । ଅନ୍ୱେଷା ପରେ ଏବେ ଛାତ୍ରବୃତ୍ତି ବନ୍ଦ କରିବାରୁ ଲକ୍ଷାଧିକ ଅନୁସୂଜିତ ଜାତି, ଜନଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ବିଧାନସଭା ହୁଲସ୍ତୁଲ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ । ସେପଟେ ବିଜେଡି ବି ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ଅନ୍ୟାୟକୁ ସମାଲୋଚନା କରିଛି । ସିଟିଜେନ୍ସ ଫୋରମ ମଧ୍ୟ ସରକାରକୁ ଦେଇଛି ଚରମ ଚେତାବନୀ ।

ଅନ୍ୱେଷା ପରେ ଏବେ ଛାତ୍ର ବୃତ୍ତି ବନ୍ଦ ନେଇ ବିରୋଧ । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ଅଭିଯୋଗ କରିଛି କଂଗ୍ରେସ । SC/ST ଓ OBC ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସରକାର ଅନ୍ଧକାରକୁ ଠେଲି ଦେଇଛନ୍ତି । ୫ ମାସ ହେଲା ସରକାର ପ୍ରାକ ମାଟ୍ରିକ ଛାତ୍ରବୃତ୍ତି ଦେଉନାହାନ୍ତି । ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢାରୁ ବଂଚିତ । ଏହି ପିଲାମାନେ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି । ଛାତ୍ରବୃତ୍ତି ମିଳୁ ନଥିବାରୁ ହଷ୍ଟେଲରେ ନାନା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ବିରୋଧୀ ବୋଲି କହିଛି କଂଗ୍ରେସ । ପୂର୍ବ ସରକାର ଛାତ୍ରଙ୍କୁ ୧,୦୫୦ ଟଙ୍କା ଓ ଛାତ୍ରୀଙ୍କୁ ୧୧୦୦ ଟଙ୍କା ଦେଉଥିଲା । ହେଲେ ଏବେ ବ୍ୟବସ୍ଥା ବେହାଲ । ପ୍ରସଙ୍ଗ ନେଇ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ହେବ ବୋଲି ଚେତାଇଛି ଦଳ । ଅନ୍ୟପଟେ ବିଜେଡି କହିଛି ସରକାର ଆଦିବାସୀଙ୍କୁ ଗୁରୁତ୍ଵ ଦେଉନାହାନ୍ତି । କେବଳ ଖାଲି ସମୀକ୍ଷା ବୈଠକରେ କାମ ସରୁଛି ।

ସେପଟେ ସିଟିଜେନସ ଫୋରମର କହିବା କଥା ସମସ୍ତ ବର୍ଗର ଲୋକେ ଏବେ ଅବହେଳିତ ଓ ଅସୁରକ୍ଷିତ । ସରକାର ସମସ୍ତଙ୍କୁ ଧୋକା ଦେଇଛନ୍ତି । ସରକାର ବିରୋଧରେ ବ୍ୟାପକ ଆନ୍ଦୋଳନ ଆବଶ୍ୟକ । ଜବାବରେ ଶାସକ ଦଳର କହିବା କଥା ଗତ ୧୫ ମାସ ଧରି ଚାଲିଥିବା ବିଜେପି ସରକାରରେ ସବୁ କ୍ଷେତ୍ରରେ ସବୁ ବର୍ଗ ପାଇଁ ଯୋଜନା ହୋଇଛି । ବିରୋଧୀଙ୍କ କାମ ବିରୋଧ କରିବା । ସବୁ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛି ଶାସକ ଦଳ ।

ରାଜ୍ୟରେ ୧୦ରୁ ଅଧିକ ଆଦିବାସୀ ଜିଲ୍ଲାରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ବୃତ୍ତି ପାଇ ପାଠ ପଢୁଛନ୍ତି । କେବଳ ସୁନ୍ଦରଗଡ଼ରେ ୨୮୭ ଛାତ୍ରାବାସରେ ପିଲା ପଢୁଛନ୍ତି । ପିଲାଙ୍କୁ ହଷ୍ଟେଲରେ ସୁବିଧା ନମିଳିଲେ ଡ୍ରପ ଆଉଟ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି ।