ନନ୍ଦିଘୋଷ ବ୍ୟୁରୋ: ପ୍ରଭାବୀ ଢଙ୍ଗରେ ସରକାରଙ୍କ ସମାଲୋଚନା କରିଛି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଛାୟା କ୍ୟାବିନେଟ । ସାଢେ ଚାରି କୋଟି ଓଡିଆଙ୍କ ସ୍ବର ସାଜି ସରକାରଙ୍କ ଦୋଷ ଦୁର୍ବଳତାକୁ ଆଣୁଛି ପଦାକୁ। କାହିଁକି ବର୍ଷେ ହେବ ବିଭାଗଗୁଡ଼ିକ ଠିକ କାମ କରୁନାହାନ୍ତି ତାହାକୁ ଜଗିଥିଲେ ଛାୟା କ୍ୟାବିନେଟର ୫୦ ସଦସ୍ୟ। ଆଗକୁ ଏହି ଲଢେଇ ଜାରି ରହିବ ବୋଲି ନେତାଏ କହିଛନ୍ତି । ସେପଟେ ସରକାର ତାଙ୍କ କାମ କରିଚାଲିବେ ବୋଲି କହିଛି ଶାସକ ଦଳ।
ମୋହନ ସରକାରଙ୍କ ଦୋଷ ଦୁର୍ବଳତା ଓ ତ୍ରୁଟି ଜଗିବା ସହ ଗଠନମୂଳକ ସମାଲୋଚନା କରିବା ଲାଗି ନବୀନ ପଟ୍ଟନାୟକ ଗଠନ କରିଥିଲେ ଛାୟା କ୍ୟାବିନେଟ । ୫୦ ଜଣ ବିଜେଡି ବିଧାୟକଙ୍କୁ ଛାୟା କ୍ୟାବିନେଟର ଗୁରୁଦାୟିତ୍ବ ଦେଇଥିଲେ ବିରୋଧୀ ଦଳ ନେତା ।ସରକାରଙ୍କ ବିଭିନ୍ନ ବିଭାଗ କିପରି କାର୍ଯ୍ୟ କରୁଛି ଓ କେଉଁଠି ଭୂଲ ହେଉଛି ତାହାକୁ ନଜର ରଖିଛନ୍ତି ଦାୟିତ୍ବରେ ଥିବା ବିଧାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଯେଉଁ ଦାୟିତ୍ବ ଦେଇଥିଲେ ତାହାକୁ ସୁଚାରୁ ରୂପେ ତୁଲାଇଥିବା ନେତାମାନେ କହିଛନ୍ତି । ଛାୟା କ୍ୟାନିନେଟର ବରିଷ୍ଠ ସଦସ୍ୟ ବିଧାୟକ ଅରୁଣ ସାହୁ କହିଛନ୍ତି- ସରକାରଙ୍କ ସବୁ କାର୍ଯ୍ୟ ଉପରେ ଆମର ନଜର ରହିଛି । ସରକାରଙ୍କ ବିଫଳତାର ଗୋଟି ଗୋଟି ଦସ୍ତାବିଜ ଆମ ପାଖରେ ରହିଛି । ବିଭିନ୍ନ ପ୍ରସଙ୍ଗରେ ବିଧାନସଭା ଭିତରେ ଓ ବାହାରେ ଗଠନମୂଳକ ପରାମର୍ଶ ଦେବା ସହ ସରକାରଙ୍କ ଅନେକ ଭୁଲକୁ ଦୃଢ ବିରୋଧ କରିଛି । ଲୋକଙ୍କ ସହ ସାଜି ଛାୟା କ୍ୟାବିନେଟ କାମ କରିଛି ବୋଲି ଅରୁଣ କହିଛନ୍ତି । ସେହିପରି ଛାୟା କ୍ୟାବିନେଟରେ ଆଦିବାସୀ ବ୍ୟାପାର ଦାୟିତ୍ବରେ ଥିବା ସଦସ୍ୟ ବିଧାୟକ ଯୋଗେଶ ସିଂହ କହିଛନ୍ତି ଆଦିବାସୀ ସ୍ବର ସାଜି ଲଢେଇ ଜାରି ରଖିଛି। ମୋହନ ସରକାରଙ୍କୁ ଜଗିଛୁ। ସରକାର ଯେଉଁଠି ଜନ ବିରୋଧୀ କାମ କରୁଛନ୍ତି ତାହା ବିରୋଧରେ ସ୍ବର ଉଠାଇଛୁ ।
ଛାୟା କ୍ୟାବିନେଟ ଛାଇ ପରି ଜଗିଥିଲେ ବି ସରକାର ତାଙ୍କ କାମ କରିବେ ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି । ସରକାର କଣ କାମ କରିଛନ୍ତି ତାହା ଲୋକେ ବିଚାର କରିବେ । ୨ ବର୍ଷ ପରେ ପଂଚାୟତ ନିର୍ବାଚନ ଓ ୨୦୨୯ ସାଧାରଣ ନିର୍ବାଚନରେ ଲୋକ ମତାମତ ଦେବେ । ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ସରକାର ଶୁଣିବେ ବୋଲି ସେ କହିଛନ୍ତି । ଜନସେବାକୁ ରାଜନୀତିର ମୂଳମନ୍ତ୍ର କରି ନବୀନ କ୍ଷମତାରେ ଥିବାବେଳେ ଯେମିତି କାମ କରୁଥିଲେ ଦଳର ବିଧାୟକମାନେ ଠିକ ସେପରି ଗଠନମୂଳକ ବିରୋଧୀ ଦଳ ଭାବେ ନିର୍ବାହ କରୁଛନ୍ତି ଦାୟିତ୍ବ।

