ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ଓଡ଼ିଶାର ଭୌଗୋଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି । ଚଳିତ ମାସ ଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ (ବିଶେଷତଃ ଅକ୍ଟୋବର ଓ ନଭେମ୍ବର ମାସରେ) ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ । ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ ।

ଏସବୁକୁ ବିଚାରକରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର “ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି” । ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ଜଣାଇଥିଲେ ଯେ ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ ।

ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି । ଏକ  ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି ।

ଗୋପାଳପୁର ଓ ପାରାଦ୍ୱୀପ ଠାରେ ଡପଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ ( ହାଇ ଓ୍ୱିଣ୍ଡ୍ ସ୍ପିଡ୍ ରେକର୍ଡର)   ସ୍ଥାପନ କରାଯାଇଛି । ଏହି ଯନ୍ତ୍ର ଘଣ୍ଟା ପ୍ରତି ପ୍ରାୟ ୩୦୦ କି.ମି. ପବନ ସ୍ଥିତିରେ ମଧ୍ୟ କାର୍ଯ୍ୟ କରିପାରିବ ।

ଏସବୁ ଆଧୁନିକ ଭିତ୍ତିଭୂମି ସ୍ଥିତିର ପର୍ଯ୍ୟବେକ୍ଷଣ କରିବା ସହ ପାଗ ପୂର୍ବାନୁମାନ ଅନୁଶୀଳନରେ ସହାୟକ ହେଉଛି ।

ବାତ୍ୟାରେ  ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ  ବ୍ୟବସ୍ଥା ଅଧିକ  କ୍ଷତିଗ୍ରସ୍ତ ହେଉଥିବାରୁ  ମୋବାଇଲ୍ ଟେଲିକମ୍-ଟାଓ୍ୱାର,ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବଷ୍ଟେସନ୍ ଏବଂ ଯଥେଷ୍ଟ ସଂଖ୍ୟକ ମାନବ ସମ୍ବଳ ଆଦିର  ଆକଳନ ଏବଂ  ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ  ପାଇଁ ପ୍ରସ୍ତୁତ ରହିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡା ପାନୀୟ ଜଳ ପାଇଁ  ଗ୍ରାମ ଓ ସହରାଞ୍ଚଳରେ ଥିବା  ହ୍ୟାଣ୍ଡପମ୍ପ ଗୁଡିକୁ କାର୍ଯ୍ୟକ୍ଷମ ରଖିବା ସହ ବାତ୍ୟା  ଅତିକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ପାନୀୟ ଜଳ ଯୋଗାଣ  ବ୍ୟବସ୍ଥା କାର୍ଯ୍ୟକ୍ଷମ  କରିବାକୁ ପୂର୍ଣ୍ଣ ପ୍ରସ୍ତୁତି  ନିମନ୍ତେ ନିର୍ଦ୍ଦେଶ  ଦେଇଛନ୍ତି । ଯଥେଷ୍ଟ ପରିମାଣର ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ ଏବଂ ଡ଼ାକ୍ତରୀ ଟିମ୍ ଆଦି  ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼୍ରାଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ମାନଙ୍କର ସବୁ ଉପକରଣକୁ  ସଠିକ ଭାବେ  ଯାଞ୍ଚ୍ କରିବା ପାଇଁ  ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଛି ।  ଆବଶ୍ୟକ ବେଳେ ନିରାପଦ ସ୍ଥାନକୁ ସହାୟତା-ଭିତ୍ତିକ ସ୍ଥାନାନ୍ତର କରିବାରେ ଏହି ତାଲିକା ବହୁ ପରିମାଣରେ ଫଳପ୍ରଦ ହେବ ।

ତୁରନ୍ତ ଗମନା ଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ଉଦ୍ବୃତ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ  ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି  କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ  ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ  କୁହାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ସଚିବ ସତ୍ୟବ୍ରତ  ସାହୁ, ଜଳ ସଂପଦ ବିଭାଗ  ଅତିରିକ୍ତ ସଚିବ ଅନୁ ଗର୍ଗଙ୍କ  ସମେତ  ବାତ୍ୟା ପରିଚାଳନା ସହ  ସଂପୃକ୍ତ  ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ,  ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ  ଆବଶ୍ୟକୀୟ  ତଥ୍ୟ  ଉପସ୍ଥାପନ  କରିଛନ୍ତି । ନୌସେନା, ଭାରତୀୟ ସେନା, କୋଷ୍ଟଗାର୍ଡ଼ ଓ ଭାରତୀୟ ପାଣିପାଗ ବିଭାଗ  ଆଦିର ବରିଷ୍ଠ ଅଧିକାରୀମାନେ  ମଧ୍ୟ ବୈଠକରେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକତା ସଂପର୍କିତ ସୂଚନା ଦେଇଛନ୍ତି ।