ତାଳି ମାରି ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଉତ୍ସାହିତ କଲେ ନବୀନ

1 min read

ଭୁବନେଶ୍ୱର: ମହାମାରୀ କରୋନା ସହ ଯୁଝୁଛି ବିଶ୍ୱ । ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ରାଜ୍ୟର ୫ ଜିଲ୍ଲା ଓ ୮ ସହର ଲକ୍ ଡାଉନ୍ । ପରିବାରକୁ ଛାଡ଼ି ବିଭିନ୍ନ ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଛନ୍ତି ବ୍ୟକ୍ତି ବିଶେଷ । ସେମାନଙ୍କ ପାଇଁ ସନ୍ଧ୍ୟା ୫ଟାରେ ଏକାଠି ହୋଇଥିଲେ ଦେଶବାସୀ । ନିଜ ଘର ବାଲକୋନୀ, ଗାଁ ଦାଣ୍ଡରେ ଛିଡ଼ା ଲୋକେ ଏହି ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜଧାନୀରୁ ଆରମ୍ଭ କରି ରାୟଗଡ଼ା, ଯାଜପୁର ସବୁଠି ଲୋକେ ଏମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ମଧ୍ୟ ଏହି ବ୍ୟକ୍ତି ବିଶେଷଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ତାଳି ମାରିବା ସହ ଏବେର ବିରାଟ ସ୍ୱାସ୍ଥ୍ୟ ସଙ୍କଟରେ ଲୋକଙ୍କ ସୁବିଧା ପାଇଁ ଜରୁରୀକାଳୀନ ସେବା ଯୋଗଉଥିବା ବ୍ୟକ୍ତିମାନେ ନିଜର ଶ୍ରେଷ୍ଠ ଭୂମିକା ନିର୍ବାହ କରୁଥିବା କହିଛନ୍ତି । ସମସ୍ତଙ୍କ ଭଳି ମୁଁ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଅଭିଯାନରେ ସାମିଲ ହୋଇଛି । ଆସନ୍ତୁ ଏହି ଲଢେଇକୁ ଦୃଢତାର ସହ ଲଢିବା । ସଚେତନ ହେବା ସୁରକ୍ଷିତ ରହିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଲୋକସେବା ଭବନରେ ସଚେତନତା ସହ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ଶାସନ ସଚିବ, 5T ସଚିବ, କରୋନା ମୁକାବିଲା କମିଟିର ମୁଖପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ । ସମସ୍ତଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏଭଳି ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଧନ୍ୟବାଦ ଅର୍ପଣ କରାଯାଇଛି ।

ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ କାଳୀମେଘା ସ୍ଥିତ ବାସଭବନରେ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଘଣ୍ଟ ବାଦ୍ୟ ସହ ତାଳି ମାରି ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply