ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ; ବିନା ସୁଧରେ ମିଳିବ ୫୦ ହଜାର ଟଙ୍କା ଯାଏଁ ଋଣ

ଭୁବନେଶ୍ୱର: କୋଭିଡ ସମୟରେ ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ପ୍ୟାକେଜ ଅଧିନରେ ୩୦୦୦ ବୁଣାକାର ପରିବାରକୁ ପ୍ରାଥମିକତା ଭିତ୍ତିରେ ଗୃହ ସହ କର୍ମଶାଳା ଯୋଗାଇ ଦିଆଯିବ। ଏ ପର୍ଯ୍ୟନ୍ତ ୧୧,୬୯୫ଟି ଗୃହ ସହ କର୍ମଶାଳା ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। କିନ୍ତୁ ମହାମାରୀ କୋଭିଡ ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଆମର ହଜାର ହଜାର ବୁଣାକାର ମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି। ଯାହା ସେମାନଙ୍କ ପାଇଁ ସହାୟକ ହେବ ।

ଆହୁରି ମଧ୍ୟ ବୁଣାକାର ମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡିବ ଏବଂ ସେମାନେ ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ ସେମାନଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ। ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପଞ୍ଚାୟତ ରାଜ ବିଭାଗର ଗାଇଡଲାଇନ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ। ସେହିଭଳି ଏହି ପ୍ୟାକେଜରେ କଂକ୍ରିଟ ହୋଇନଥିବା ୧୫,୦୦୦ ଲୁମ ପିଟ କୁ ପର୍ଯ୍ୟାୟକମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି ଲୁମ ପିଟ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ଏବେ ସୁଦ୍ଧା ରାଜ୍ୟର ୩୧,୩୪୨ଟି ଲୁମ ପିଟ ମଧ୍ୟରୁ ୧୫,୦୭୧ଟି ଲୁମ ପିଟକୁ କଂକ୍ରିଟ କରାଯାଇଛି ।

ଏହି ପ୍ୟାକେଜରେ ବୁଣାକାର ମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି। ବୁଣାକାର ମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା ସିଏଫସି, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ। ବୁଣାକାର ମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି ।

Leave a Reply