PMଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଓଡିଶା ପାଇଁ ହେଉ ଏକକ ରେଳବାଇ ଜୋନ..

1 min read

ଭୁବନେଶ୍ୱର: ଓଡିଶା ପାଇଁ ହେଉ ଏକକ ରେଳବାଇ ଜୋନ । ରାଜ୍ୟର ସବୁ ରେଳପଥକୁ ଗୋଟିଏ ଜୋନ ଅଧିନକୁ ଅଣାଯାଉ । ଏନେଇ ପୂର୍ବରୁ ବାରମ୍ବାର ଦାବି ହେଉଥିବା ବେଳେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ଦାବି ପରେ ୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ବତନ୍ତ୍ର ପୂର୍ବତଟ ରେଳବାଇ ଜୋନ ଗଠନ କରିଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ବିଶାଖାପଟଣାରେ ଦକ୍ଷୀଣ ତଟ ରେଳବାଇ ଜୋନ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହାଦ୍ବାରା ପୂର୍ବତଟ ରେଳବାଇ ବ୍ୟାପକ ଭାବେ ପ୍ରଭାବିତ ହେବ ।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ଏକକ ରେଳବାଇ ଜୋନ ଗଠନ କରିବାକୁ ଦାବି କରିଛନ୍ତି । ଓଡିଶା ମଧ୍ୟ ଦେଇ ଯାଇଥିବା ସବୁ ରେଳପଥକୁ ପୂର୍ବତଟ ରେଳବାଇ ଅଧିନକୁ ଆଣିବାକୁ ଦାବି କରିଛନ୍ତି ନବୀନ । ଏଥିପାଇଁ ରାଉଲକେଲା, ଯାଜପୁର କିମ୍ବା ଯାଜପୁର-କେନ୍ଦୁରଝର ରୋଡ ଓ ରାୟଗଡା ଠାରେ ତିନୋଟି ନୂଆ ରେଳବାଇ ଡିଭିଜନ ଗଠନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷୀଣ-ପୂର୍ବ ରେଳପଥ ଅଧିନରେ ଥିବା ଝାରସୁଗୁଡା-ବର୍ସୁଆଁ-କିରିବୁରୁ ରେଳପଥ, ରାଉଲକେଲା-ନୂଆଗାଁ ଓ ଦକ୍ଷୀଣ-ପୂର୍ବ-କେନ୍ଦ୍ରୀୟ ରେଳ ଡିଭିଜନ ଅଧିନରେ ଥିବା ଝାରସୁଗୁଡା-ହିମଗିରି ରେଳପଥକୁ ପ୍ରସ୍ତାବିତ ରାଉଲକେଲା ରେଳ ଡିଭିଜନ ସହ ସାମିଲ କରାଯାଉ ।

ସେହିଭଳି ଯାଜପୁର କିମ୍ବା ଯାଜପୁର-କେନ୍ଦୁଝର ରୋଡ ଡିଭିଜନରେ ବାଂଶପାଣୀ-ପଦପାହାଡ, ରୁପସା-ବାଙ୍ଗିରିପୋଷି ଓ ଭଦ୍ରକ-ଲକ୍ଷଣନାଥ ରୋଡ ରେଳପଥକୁ ନୂଆ ଡିଭିଜନ ଅଧିନକୁ ଅଣାଯାଉ । ସେହିଭଳି ରାୟଗଡାରେ ମଧ୍ୟରେ ପୂର୍ବତଟ ରେଳବାଇ ଜୋନ ଅଧିନରେ ଏକ ନୂଆ ଡିଭିଜନ ଗଠନ କରାଯାଉ । ଏହି ଡିଭିଜନରେ ନୂଆପଡା-ଗୁଣପୁର, ରାୟଗଡା-ଟିଟଲାଗଡ-ରାୟପୁର, କୋରାପୁଟ-ରାୟଗଡା, କୋରାପୁଟ-ଜୟପୁର-ଜଗଦଲପୁର-କିରାଣ୍ଡୁଲ ଏବଂ ଲାଂଜିଗଡ ରୋଡ-ଜୁନାଗଡ ରେଳପଥକୁ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ରେଳପଥ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହାଦ୍ବାରା ରାଜ୍ୟରେ ରେଳବାଇ ମଧ୍ୟରେ ସହଜରେ ସମ୍ବନୟ ରକ୍ଷା କରାଯାଇପାରିବ । ରେଳପଥକୁ ଓଡିଶା ସର୍ବାଧିକ ଟିକସ ଦେଉଥିଲେ ବି କେନ୍ଦ୍ରର ପ୍ରସ୍ତାବିତ ନୂଆ ଡିଭିଜନ ଦ୍ବାରା ଓଡିଶାର ଆୟ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗତ ସାତ ବର୍ଷ ହେଲା ରାଜ୍ୟ ସରକାର ଓଡିଶା ପାଇଁ ଏକକ ରେଳବାଇ ଜୋନ ଗଠନ କରିବାକୁ ଦାବି କରିଆସୁଛନ୍ତି ।