ରାଜ୍ୟ କଂଗ୍ରେସରେ ଟିକେଟ୍ ଝଡ଼, ନେତା ଘୋଷଣା କରୁଛନ୍ତି ନିଜ ପ୍ରାର୍ଥିତ୍ବ

ଭୁବନେଶ୍ବର: ବିଜେଡି ୭୨ ବିଧାୟକ ଓ ୧୫ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ୧୮ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ହେଲେ ରାଜ୍ୟ କଂଗ୍ରେସରେ କାହାକୁ ମିଳିବ ଟିକେଟ୍ ଏବେ ବି ଅଙ୍କ ଛିଣ୍ଡୁନି । ନେତାଙ୍କ ନାଁରେ ଫାଇନାଲ ଷ୍ଟାମ କେନ୍ଦ୍ରୀୟ ନେତୃବୃନ୍ଦ ମାରିବାକୁ ଥିବା ବେଳେ ରାଜ୍ୟରେ ନେତାମାନେ ଧର୍ଯ୍ୟହରା ହୋଇଯିବା ପରିଲାଗୁଛନ୍ତି । ଏପରିକି ନିଜେ ନିଜର ପ୍ରାର୍ଥିତ୍ବ ନେଇ ଘୋଷଣା କରୁଛନ୍ତି । କଂଗ୍ରେସର ହେଭିଓ୍ବେଟ୍ ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ନର୍ଲାରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି । ତେବେ କଂଗ୍ରେସ ମଡିଆ ସେଲ୍ ଅଧ୍ୟକ୍ଷ କହିଛନ୍ତି, ଟିକେଟ୍ ବଣ୍ଟନ ନେଇ ସ୍କ୍ରିନିଂ ଓ ସିଇସି ବୈଠକରେ ସ୍ଥିର ହେବ । ଯାହାକୁ ନେଇ ଦଳରେ ଟିକେଟ କଳି ଜଟିଳ ହୋଇଛି ।
ରାଜ୍ଯ କଂଗ୍ରେସ ଟିକେଟ୍ ଚୟନରେ ବିଳମ୍ବ ପରେ ଆଗକୁ ଆସିଲେ ଭକ୍ତ ଦାସ । ପିଇସି, ସ୍କ୍ରିନିଂ ଓ ସିଇସିର ଉଡ଼ାଇଲେ ଧଜିଆ । ହାଇକମାଣ୍ଡଙ୍କ ଘୋଷଣା ପୂର୍ବରୁ କହିଲେ, ନର୍ଲାରୁ ଲଢ଼ିବି । ପିସିସି କହିଲା, କିଛି ହୋଇନାହଁ ଚୂଡ଼ାନ୍ତ । କଂଗ୍ରେସ ପ୍ରଗମନ ଆପ୍ ଜରିଆରେ ଆଗୁଆ ଟିକେଟ ବାଣ୍ଟିବାରେ ଫେଲ୍ ମାରିବା ପରେ ଦଳୀୟ ନେତା ହାଇକମାଣ୍ଡଙ୍କ ଘୋଷଣାକୁ ଅପେକ୍ଷା କରିବାକୁ ନାରାଜ । ଖୋଦ୍ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ ନର୍ଲାରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଏହାସହ ତାଙ୍କ ପୁଅ ସାଗର ଦାସ ଟିକେଟ ପାଇବା ନେଇ ଯୁକ୍ତି ବାଢ଼ିଛନ୍ତି ଭକ୍ତ । ତେବେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି କହିଛନ୍ତି, ଖୁବଶୀଘ୍ର ସ୍କ୍ରିନିଂ ଓ ସିଇସି ବୈଠକରେ ପ୍ରାର୍ଥୀ ସ୍ଥିର କରାଯିବ ।
୨୪ ବର୍ଷ ଧରି ରାଜ୍ୟରେ କ୍ଷମତା ବାହାରେ ରହିଛି କଂଗ୍ରେସ । ଦଳର ଭୋଟ ହାର କମିବାରେ ଲାଗିଛି । ଏପରି ସ୍ଥିତିରେ ୨୦୨୪ ନିର୍ବାଚନରେ କଂଗ୍ରେସ ଆଗୁଆ ଟିକେଟ ବଣ୍ଟିବା ପାଇଁ ୨ ମାସ ଧରି କସରତ କରିଥିଲା । ଫଳ କିନ୍ତୁ ଶୂନ ହୋଇଛି । ଟିକେଟ ବଣ୍ଟନରେ ବିଳମ୍ବ ଯୋଗୁଁ ନେତାମାନେ ନିଜେ ସର୍ବେସର୍ବା ନୀତିକୁ ଆପଣାଇଛନ୍ତି । ଫଳରେ ବରିଷ୍ଠ କଂଗ୍ରେସ ନେତାମାନେ ନିଜେ ନିଜ ଟିକେଟ ଘୋଷଣା କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।
୨ ମାସ ବିଳମ୍ବ ପରେ ପୁଣି କଂଗ୍ରେସ ନେତାମାନେ କହିଛନ୍ତି, ଏପ୍ରିଲ ପ୍ରଥମ ସପ୍ତାହରେ ଦଳର ପ୍ରାର୍ଥୀ ତାଲିକା ଆସିବ । ତେବେ ଆଗୁଆ ଟିକେଟ ବାଣ୍ଟିବାର ଡିଣ୍ଡିମ ପିଟୁଥିବା କଂଗ୍ରେସ ସବୁ ବେଳେ ଫେଲ୍ ମାରୁଥିବା ନେଇ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା ହେଉଛି ।