ବୁଥ୍ ସଙ୍ଗଠନ ସଜାଡ଼ିବ ହାତ, ଆରମ୍ଭ ହେବ ଓ୍ବାନ୍ ବୁଥ୍ ୫ ୟୁଥ ଅଭିଯାନ
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସକୁ ଘାରିଛି ବୁଥ ଚିନ୍ତା । ମତଭେଦ ଭୁଲି ବୁଥସ୍ତରରେ କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାକୁ ଦଳର ସେନାପତି ସାଜିବେ ଯୁବ କଂଗ୍ରେସ ନେତା । ବୁଥକୁ ମଜବୁତ କରିବା ପାଇଁ ଯୁବ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ବେକାରୀ ସମସ୍ୟା, ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ମୁଖ୍ୟ ଅସ୍ତ୍ର କରି ବିଜେପି ସରକାରକୁ ଘେରିଛି ଯୁବ କଂଗ୍ରେସ । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି କଂଗ୍ରେସ ଶିବିର ।
ଖୁବଶୀଘ୍ର ଦଳ ଆରମ୍ଭ କରିବ ଓ୍ବାନ ବୁଥ ୫ ୟୁଥ ଅଭିଯାନ । ବୁଥ ସ୍ତରରେ ସଙ୍ଗଠନକୁ ମଜୁବତ କରି ଶାସକ ବିଜେପିକୁ କ୍ଷମତାରୁ ହଟାଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ବିଜେପି କ୍ଷମତାକୁ ଆସିବା ଦିନଠୁ ୧୯ଟି ପରୀକ୍ଷା ବାତିଲ ହେବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ବେକାରୀ ସମସ୍ୟା ଭଳି ପ୍ରସଙ୍ଗକୁ ଜୋରଦାର କରିବ ଯୁବ କଂଗ୍ରେସ । ବିଜେପି ସରକାରକୁ ଗାଦିରୁ ନହଟାଇବା ଯାଏଁ ଯୁବ କଂଗ୍ରେସ ଚୁପ ବସିବ ନାହିଁ ବୋଲି ଚେତାବନୀ ଦେଇଛି ।
ଅନ୍ୟପଟେ ପିସିସି ସଭାପତିଙ୍କୁ ଘାରିଛି ତୃଣମୂଳ ସଙ୍ଗଠନ ଚିନ୍ତା । ବ୍ଲକ ଓ ନଗର କଂଗ୍ରେସ କମିଟି ଚୟନ କସରତ ଜାରି ରଖିଛି ଦଳ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ମିଳିତ ନେତୃତ୍ବ ସହ ଏକମନ ହୋଇ କାମ କଲେ, ଆଗକୁ ବଢ଼ିବ ଦଳ । ସେହିପରି ପିଏସି ଟିମର ମଧ୍ୟ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି ପଞ୍ଚାନନ ।
୨୫ ବର୍ଷ ହେବ କ୍ଷମତା ବାହାରେ ରହିଛି ରାଜ୍ୟ କଂଗ୍ରେସ । ଦଳର ଭୋଟ ହାର ବି ଆଶାଠାରୁ ଅଧିକ କମିଛି । ଦଳରେ ଗୋଷ୍ଠୀ ବିବାଦ ଲାଗି ରହିଥିବାରୁ, ବୁଥ ସଙ୍ଗଠନକୁ ମଜବୁତ କରିବାକୁ ଅଣ୍ଟା ଭିଡିଛି ଯୁବ କଂଗ୍ରେସ ।

