ଶେଷ ହେବ ୩ ଜିଲ୍ଲାର ସଟ୍‌ଡାଉନ୍‌ ଅବଧି, ହେଲେ ଲକ୍‌ଡାଉନ୍‌ କଡ଼ାକଡ଼ି

ଭୁବନେଶ୍ୱର: ଆଜି ସକାଳ ୧୦ ଟାରେ ସରିବ ୩ ଜିଲ୍ଲାର ସଟ୍‌ ଡାଉନ୍‌ ଅବଧି । ନିୟମିତ ବ୍ୟବଧାନରେ ବହୁ ମାତ୍ରାରେ କରୋନା ଆକ୍ରାନ୍ତଙ୍କ ମାମଲା ସାମ୍ନାକୁ ଆସିବାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ ବା ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା ।

ତେବେ ଆଜି ସଟ୍‌ଡାଉନ୍‌ ଅବଧି ଶେଷ ହେଉଥିଲେ ମଧ୍ୟ ଲକ୍‌ଡାଉନ୍‌ ନିୟମ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ୍‌ ଗୁଡିକରେ ନିୟମ କଡ଼ାକଡ଼ି କରାଯାଇଥିବା ବେଳେ ଅନ୍ୟ ଅଞ୍ଚଳରେ କୋହଳ କରାଯିବାର ସମ୍ଭାବନା ରହିଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିବ । ସଟ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ବାଲେଶ୍ୱରର ଭୋଗରାଇ, ଜଳେଶ୍ୱର ଅଞ୍ଚଳରେ ସ୍ୱାଂବ୍‌ ସଂଗ୍ରହ କରାଯାଇଥିଲା । ଜିଲ୍ଲାର ୩୬୦ କ୍ୱାରେଣ୍ଟାଇନ ସେଣ୍ଟରରେ ୪ ହଜାରରୁ ଅଧିକ ଲୋକଙ୍କୁ ପଂଜିକୃତ କରି ରଖାଯାଇଛି । ପ୍ରତ୍ୟେକ ଜୋନ୍‌ରେ ଥିବା ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ମାନେ ନିୟମିତ ଯାଞ୍ଚ କାର୍ଯ୍ୟ ଚଳାଇଛନ୍ତି ।

ଭଦ୍ରକର ଚରମ୍ପା, ରାଜଘାଟ ଛକ, ବନ୍ତ, ଆରଡ଼ି, ବାଇପାସ ଛକରେ ବ୍ୟାରିକେଡ୍‌ କରାଯାଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଏଥିସହ ଧାମନଗର ଓ ତିହିଡ଼ି ବ୍ଲକର ବିଭିନ୍ନ ଅଂଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଜିଲ୍ଲାର ମୋଟ ୧୮ଟି ପଂଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି । ଯାଜପୁରରେ ଟ୍ରେସିଂ ଓ ସର୍ଭେ କାମ ଜାରି ରହିଛି । ଯାଜପୁରକୁ ପ୍ରବେଶ ପାଇଁ ସବୁ ରାସ୍ତା ବନ୍ଦ କରାଯାଉଛି । ଏସବୁ ଭିତରେ ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ତେବେ ସଟ୍‌ଡାଉନ୍‌ ଅବଧି ମଧ୍ୟରେ ଯାଜପୁରରେ ଗତକାଲି ରାତିରେ ଆହୁରି ୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେଣୁ ସଟ୍‌ଡାଉନ୍‌ ହଟାଯିବା ପରେ ମଧ୍ୟ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଅନୁମାନ କରାଯାଉଛି । ଲୋକଙ୍କୁ ସାମାଜିକ ଦୂତରା ରଖିବାକୁ ପରାମର୍ଶ ଦିଆଯାଉଛି । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କୁହାଯାଇଛି ।

Leave a Reply