spot_img

Latest Posts

ରାଜ୍ୟରେ କୋଭିଡ ସ୍ଥିତି ଶୂନ, ତଥାପି ସ୍ବାସ୍ଥ୍ୟ ବିଭାଗ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ଶୂନ, ତଥାପି ସ୍ବାସ୍ଥ୍ୟ ବିଭାଗ ଆଲର୍ଟ। ସବୁ ହସ୍ପିଟାଲରେ ହେବ ଫିଭର କ୍ଲିନିକ୍। ଜିଲ୍ଲା ଚିକିତ୍ସାଳୟଙ୍କୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ କୁହାଯାଇଛି। ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ଦେଶରେ ଉପରମୁହାଁ ହୋଇଛି। ୫ଟି ରାଜ୍ୟରୁ ୯୮%ରୁ ଅଧିକ ରୋଗୀ ରହିଛନ୍ତି। ୮୮ ପ୍ରତିଶତ କେବଳ କେରଳରୁ। ନୂଆ ଭାରିଏଣ୍ଟ JN1 ଯଦିଓ ବ୍ୟାପିଛି କିନ୍ତୁ ସ୍ଥିତି ସାଂଘାତିକ ହେଉନାହିଁ। ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ବର ରହୁଛି। କିନ୍ତୁ ରାଜ୍ୟରେ ଗତ ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେସ୍ ସାମ୍ନାକୁ ଆସିନାହିଁ। ତଥାପି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି।

କୋଭିଡ କେସ ବଢିବା ଆଶଙ୍କା ଥିବାରୁ ଜିଲ୍ଲା ଚିକିତ୍ସାଳୟଙ୍କୁ ସର୍ଭେଲାନ୍ସ ବଢାଇବାକୁ କୁହାଯାଇଛି। ଯଦି କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢେ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଏବେଠାରୁ କରି ରଖିବେ। ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍, ବେଡ୍, ଅକ୍ସିଜେନ୍, ଇକୋ ସିଷ୍ଟମ ସହ ଆବଶ୍ୟକ ସାମଗ୍ରୀ ରଖିବେ। ଏହା ସହିତ ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି। କିନ୍ତୁ ଭୟ ବା ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କୋଭିଡ ନିୟମ ଅନୁପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛି ସ୍ବାସ୍ଥ୍ୟ ବିଭାଗ। ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ। ବୟସ୍କ ଓ କୋମର୍ବିଡମାନେ ମାସ୍କ ବ୍ୟବହାର କରନ୍ତୁ। ଲୋକଙ୍କୁ ଆତଙ୍କିତ ନ କରିବାକୁ ମାର୍ଗଦର୍ଶିକା ଜାରି କରାଯାଉନି। ହେଲେ ସମସ୍ତେ ନିଜେ ସଚେତନ ରୁହିବା ସହ ଗୁଜବରୁ ଦୂରେଇବାକୁ ଅନୁରୋଧ କରାଯାଇଛି।

Latest Posts

Don't Miss