ପ୍ରସ୍ତାବିତ ବ୍ଲୁଫ୍ଲାଗ ବିଚ୍ ଆଣିଲା ଲଜ୍ଜା; ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚର ଛାନବିନ

ନନ୍ଦିଘୋଷ ବ୍ୟୁରୋ : ପ୍ରସ୍ତାବିତ ବ୍ଲୁଫ୍ଲାଗ ବିଚ୍ ଆଣିଲା ଲଜ୍ଜା । ଗୋପାଳପୁର ବେଳାଭୂମି ଯୁବତୀ ଗଣଦୁଷ୍କର୍ମ ଘଟଣାରେ ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଗୋପାଳପୁରରେ ପ୍ରସ୍ତାବିତ ବ୍ଲୁଫ୍ଲାଗ ବିଚରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟରଏକ ପ୍ରମୁଖ ପର୍ଯଟନସ୍ଥଳୀରେ ଏଭଳି ନାରକୀୟକାଣ୍ଡ ପାଇଁ ସାରା ରାଜ୍ୟ ନିନ୍ଦିତ ହୋଇଛି। ପୋଲିସର ପାରିବାପଣିଆ ଉପରେ ମଧ୍ୟ ଉଠିଛି ପ୍ରଶ୍ନ।
ଆଜି କ୍ରାଇମବ୍ରାଞ୍ଚ ଟିମ ଘଟଣାସ୍ଥଳରେ ଛାନବିନ କରିବା ସହ ଗୋପାଳପୁର ଆଇଆଇସି, ଏସଡିପିଓ, ଏସପି ଓ ଦକ୍ଷିଣାଞ୍ଚଳ ଆଇଜିଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣାରେ ଗିରଫ ୧୦ଜଣଙ୍କ ମଧ୍ଯରୁ ୬ ଜଣ ହେଉଛନ୍ତି ସାବାଳକ। ସେମାନେ ହେଲେ କୁନାଳ ପ୍ରଧାନ, ପ୍ରମୋଦ ନାୟକ, ଲକ୍ଷ୍ମଣ ପ୍ରଧାନ, ଓମ ପ୍ରଧାନ, ବାବୁରାମ ଦଳାଇ ଓ ଦୀପକ ତରାଇ । ଅନ୍ଯ ୪ଜଣ ନାବାଳକ। ମୁଖ୍ଯ ଅଭିଯୁକ୍ତ ପ୍ରମୋଦ ନାୟକ ପୁରୁଷୋତ୍ତମପୁର ହୁଣ୍ଡତ ଗାଁର ହୋଇଥିବା ବେଳେ ଅନ୍ଯତମ ଅଭିଯୁକ୍ତ କୁନାଲ ପ୍ରଧାନର ଘର କୁନାଲ ଗାଁରେ। ଓମପ୍ରସାଦ ଓ ବାବୁରାମ ଦଳାଇ ହିଞ୍ଜିଳିର ବୋଲି ଜଣାପଡିଛି। ସେପଟେ ବ୍ରହ୍ମପୁରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏସପିଙ୍କ କାର୍ଯ୍ୟାଳୟ ଘେରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ।
ଆଜି ପ୍ରଥମ ପର୍ଯ୍ୟାୟ ତଦନ୍ତ ସରିଥିବା ବେଳେ ଦରକାର ପଡିଲେ ପୁଣି ଘଟଣା ସ୍ଥଳକୁ ଆସିବ କ୍ରାଇମବ୍ରାଞ୍ଚ ଟିମ । ପାନ୍ଥନିବାସ ପଛପଟ ବେଳାଭୂମିରେ ପ୍ରସ୍ତାବିତ ବ୍ଲୁ ଫ୍ଲାଗ ବିଚ ପାଇଁ ଚାରୋଟି କ୍ୟାବିନ କରାଯାଇଥିଲା । ଆଉ ଏହି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମୁଦ୍ର ବେଳାଭୂମିରେ ଆଲୋକୀକରଣ କରାଯିବା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି ।