ରାଜ୍ୟରେ ବଢ଼ିଲା ଲକଡାଉନ୍ ଅବଧି, ଜୁନ୍ ୧ ଯାଏଁ କଟକଣା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍ ୧ ଯାଏଁ ରାଜ୍ୟରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ଲକଡାଉନ୍ ସମ୍ପ୍ରସାରଣ ନେଇ ବିଶେଷଜ୍ଞମାନେ ମତ ଦେଉଥିଲେ ।

Odisha Extends Lockdown Till 31st May

ଏଥିସହ ପଢ଼ନ୍ତୁ: ୧୪ ଦିନିଆ ଲକଡାଉନରେ କଣ ବନ୍ଦ, କଣ ଖୋଲା ଜାଣନ୍ତୁ…

ଲକଡାଉନକୁ ସରକାର ୨ ସପ୍ତାହ ବୃଦ୍ଧି କରିଛନ୍ତି । ଲକଡାଉନ୍ କଟକଣା ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ପୂର୍ବାପେକ୍ଷା କଟକଣାକୁ ବଢ଼ାଯାଇଛି । ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏ ୪ ଘଣ୍ଟା ମଧ୍ୟରେ ପନିପରିବା କିଣିହେବ । ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଚାଲି ଚାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ । ଲକଡାଉନ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ । ବିବାହରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇପାରିବେ । ବର, କନ୍ୟା, ଅତିଥି ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ଭାଗନେବେ । ଭୋଜିଭାତ ହୋଇପାରିବ ନାହିଁ । କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ । ବିବାହ, ଅନ୍ତ୍ୟେଷ୍ଟି ଆଦି ସମସ୍ତ କାର୍ଯ୍ୟରେ କେହି ଖାଇ ପାରିବେ ନାହିଁ । କେବଳ ପ୍ୟାକେଟ୍ ଖାଦ୍ୟ ଦିଆଯାଇ ପାରିବ ।

ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ । ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ । ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ ପଞ୍ଚାୟତିରାଜ ସଂସ୍ଥା ନିଜ ଅଞ୍ଚଳରେ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବା ନେଇ ଗୁରୁତ୍ୱ ଦେବେ । ଘରକୁ ଘର ବୁଲି ୩ ମାସ ଯାଏ କ୍ୟାମ୍ପେନ୍ କରାଯିବ । କରୋନା ଲକ୍ଷଣ ଥିଲେ ଟେଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ଲକଡାଉନ୍  ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଆହୁରି କମ୍ ରହିବ । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply