ପ୍ରଥମ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ ଉଦଘାଟିତ

1 min read

ଭୁବନେଶ୍ବର: ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ପ୍ରଥମ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ । କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ସମାବେଶ । ଚଳିତବର୍ଷର ବିଷୟବସ୍ତୁ ରହିଛି କଲେ ମତ୍ସ୍ୟ-ପ୍ରାଣିପାଳନ, ଆୟ ହୋଇବ ବହୁଗୁଣ । ସମାବେଶକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାଛଚାଷ ଓ ପ୍ରାଣୀ ପାଳନ ସଂପ୍ରତି ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାର ଜେଣ୍ଡର ବଜେଟିଂ କାର୍ଯ୍ୟକାରୀ କରୁଛନ୍ତି । ଏହା ଅନ୍ତର୍ଗତ କିଛି କାର୍ଯ୍ୟକ୍ରମର ୧୦୦ ପ୍ରତିଶତ ଏବଂ ଆଉ କିଛି କାର୍ଯ୍ୟକ୍ରମରେ ଅତି କମରେ ୩୦ ପ୍ରତିଶତ କେବଳ ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ । ରାଜ୍ୟରେ ମତ୍ସ୍ୟ ଚାଷରେ ଓଡ଼ିଶାର ସ୍ଥାନ ତୃତୀୟରେ ରହିଛି । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମଧ୍ୟ କରିଛନ୍ତି । ଏଥିସହ ନିଜ ଗୃହ ପାଖରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।  ଏସଏଚଜି ମହିଳାମାନେ ମାଛ ଚାଷ କରି ଲାଭବାନ ହେଉଛନ୍ତି । ଏଥିରେ ୧୧ ହଜାର ମିଶନ ଶକ୍ତି ଗୃପ୍ ଓ ୫୦ ହଜାର ମାଛ ଚାଷୀ ଲାଭ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ouat vc ପ୍ରଭାତ ରାଉଳ ଯୋଗ ଦେଇଥିଲେ । ସମାବେଶରେ ୬ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକ ଯୋଗ ଦେଇଛନ୍ତି । ପ୍ରାୟ ୪୦୦ ଷ୍ଟଲ ପ୍ରଦର୍ଶିତ ହେବା ସହ ୧୨ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।