ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ; ମହାନଦୀକୁ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା । ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି । ଆସନ୍ତାକାଲି ବିପଦ ସଂକେତ ତଳକୁ ଖସିବାର ଆଶା କରାଯାଉଛି । ହେଲେ ଜାମସୋଲା ଘାଟରେ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ । ଯାଜପୁର ଦଶରଥପୁର ନିକଟରେ କାଣୀ ନଦୀରେ ଘାଇ ହୋଇଛି । ପାଣି କମିଲେ ମରାମତି କାମ ଆରମ୍ଭ ହେବ । ସେ କହିଛନ୍ତି ହୀରାକୁଦର ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ୨.୧୧ ଲକ୍ଷ କ୍ଯୁସେକ ଜଳ ପ୍ରବେଶ କରୁଥିବା ବେଳେ ୨.୨୨ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି।

ରେଙ୍ଗାଲିରେ ୯୩ % ପାଣି ଭରିବାରୁ ନଜରରେ ରଖାଯାଇଛି । ଦୁଇଟି ଗେଟ ଖୋଲା ଅଛି । ଆବଶ୍ୟକ ପଡିଲେ ରେଙ୍ଗାଲିର ଆଉ ଏକ ଗେଟ ଖୋଲା ହେବ। ଗତକାଲି ସୁବର୍ଣ୍ଣରେଖା ବେସିନରେ ୧୭.୩୩ ମିଲିମିଟର ବର୍ଷା ହୋଇଛି । ଅନ୍ୟ କେଉଁଠି ୧୦ ମିଲିମିଟରରୁ ଅଧିକ ବର୍ଷା ହୋଇ ନଥିବାରୁ ଆଉ କେଉଁ ନଦୀରେ ବନ୍ୟା ନାହିଁ। ମୁଣ୍ଡଳୀରେ ୧.୮୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେଣୁ ମହାନଦୀରେ ବନ୍ୟା ନାହିଁ। ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି। ବୈତରଣୀ ଯୋଗୁଁ ଯାଜପୁର, ଦଶରଥପୁର ଓ ଭଦ୍ରକ ଜିଲ୍ଲାର ଧାମନଗର ପ୍ରଭାବିତ ହୋଇଛି।