ସମସ୍ୟାର ପାହାଡ ସୃଷ୍ଟି କଲାଣି ସାର

ନନ୍ଦିଘୋଷ ବ୍ୟୁରୋ: ସାର ଅଭାବକୁ ନେଇ ସମସ୍ୟାରେ ଚାଷୀକୂଳ। କେଉଁଠି ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ ଲାଗିଛି ତ ଆଉ କେଉଁଠି ସାର ନ ଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ। ୟୁରିଆ ସାରର ଅଭାବ ଯୋଗୁଁ ଚାଷକାମ ପଛେଇଯାଇଛି । ସାର ମିଳୁନଥିବା ଯୋଗୁଁ ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବରଗଡ଼ରେ ସାର ବୋଝେଇ ଟ୍ରକକୁ ଚାଷୀମାନେ ଅଟକ ରଖିଥିବା ବେଳେ ନୂଆପଡ଼ାରେ ପ୍ରଶାସନ ବିରୋଧରେ ସ୍ବର ଉଠାଇଛି ବିଜୁ ଜନତା ଦଳ । କଳାହାଣ୍ଡିରେ ସମବାୟ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଲମ୍ବା ଲାଇନ ଲାଗିଛି । ହେଲେ ଜିଲ୍ଲା କୃଷି ଅଧିକାରୀଙ୍କ ଠାରୁ ଯୋଗାଣ ମନ୍ତ୍ରୀ କହୁଛନ୍ତି, ସାରର ଅଭାବ ନାହିଁ, ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଛି।
ସମସ୍ୟାର ପାହାଡ ସୃଷ୍ଟି କଲାଣି ସାର । ଭଲ ଫସଲ ଅମଳ କରିବା ସ୍ବପ୍ନରେ ଥିବା ଚାଷୀ ଏବେ ହତାଶ । ଖରା, ବର୍ଷାରେ ଲମ୍ବା ଲାଇନ୍ ଲଗାଇଲେ ବି କଳାହାଣ୍ଡିରେ ମିଳୁନି ସାର । ନୂଆପଡ଼ାରେ ବି ସମାନ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଛି ବିରୋଧୀ ବିଜେଡି । ବରଗଡ଼ରେ ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ । ମନ୍ତ୍ରୀ, ଅଧିକାରୀ କହୁଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ। ଆସନ୍ତୁ ନଜର ପକାଇବା ସାର ଅଭାବ ଯୋଗୁଁ କିପରି ଅଛି ଗ୍ରାଉଣ୍ଡରେ ସ୍ଥିତି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ପ୍ୟାକସ୍ ସାମ୍ନାରେ ଚାଷୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସାର ଅଭାବ ଯୋଗୁଁ ଚାଷୀକୂଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ଜିଲ୍ଲାରେ ଚଳିତ ବର୍ଷ ଖରିଫ ଋତୁରେ ୩ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ସାର ସମସ୍ୟା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଜିଳ୍ଲାର ୧୩ଟି ବ୍ଲକରେ ସାର ଅଭାବ ଯୋଗୁଁ ବଜାରରୁ ଚାଷୀ ଚଢା ଦରରେ ସାର କିଣି ଖର୍ଚ୍ଚାନ୍ତ ହେଉଛନ୍ତି । ବର୍ତମାନ ଚାଷ ପାଇଁ ସାର୍ ନିହାତି ଆବଶ୍ୟକ ଥିବା ବେଳେ ସାର ନ ମିଳିଲେ ଚାଷ ନଷ୍ଟ ହେବ ବୋଲି ଅଭିଯୋଗ କରିଛନ୍ତି ଚାଷୀ । କିନ୍ତୁ ଜିଲ୍ଲା କୃଷି ଅଧିକାରୀ କହୁଛନ୍ତି, ସାରର ଅଭାବ ନାହିଁ।
ସାର ଅଭାବକୁ ନେଇ ତାତିଛନ୍ତି ଚାଷୀ । ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଏବେ ଲାଗି ରହିଛି ସାର ସଙ୍କଟ । ଚାଷୀ ବାରମ୍ବାର ଦାବି ଜଣାଇଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ମିଳୁନାହିଁ ୟୁରିଆ । ବରଗଡରେ ତିନୋଟି ସାର ବୋଝେଇ ଟ୍ରକକୁ ଅଟକ ରଖିଛନ୍ତି ଚାଷୀ। ପ୍ୟାକସରେ ସାର ମିଳୁନଥିବା ବେଳେ ଘରୋଇ ଡିଲରଙ୍କ ପାଖକୁ କେମିତି ଯାଉଛି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଚାଷୀଙ୍କ ପାଇଁ ନୂଆପଡ଼ାରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଚାଷୀଙ୍କୁ ଶୀଘ୍ର ସାର ଯୋଗାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି ଦଳ । ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ। କଳାବଜାରୀ ରୋକିବାକୁ ପଦକ୍ଷେପ ନିଆଯାଉଛି। ସାର ଅଭାବକୁ ନେଇ ଚିନ୍ତାରେ ଚାଷୀ କୂଳ । ଖରିଫ ଧାନ ବିକ୍ରି ନେଇ ଚାଷୀ ପଞ୍ଜୀକରଣ ବଢୁଥିବା ବେଳେ ସାର ଅଭାବ ଯୋଗୁଁ ଚାଷ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି ।