ଶିମିଳିପାଳରେ ନିୟନ୍ତ୍ରଣ ହେବ ନିଆଁ , ଗଠନ ହେଲା ଟାସ୍କ ଫୋର୍ସ

ଭୁବନେଶ୍ବର: ଶିମିଳିପାଳରେ ନିଆଁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଟାସ୍କ ଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀଙ୍କ ନେତୃତ୍ବରେ ୯ ଜଣିଆ ବିଶେଷଜ୍ଞ ଟିମ୍‌ ଗଠନ ହୋଇଛି । ନିଆଁ ଲାଗିବାର କାରଣ ଓ ନିରାକରଣ ଖୋଜିବ ଏହି ଟିମ୍‌ । ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ ଦିନ ଦେବେ ରିପୋର୍ଟ । ସେପଟେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଫେବ୍ରୁଆରୀ ୧୫ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଅଗ୍ନି ଋତୁ ବୋଲି ବିବେଚନା କରାଯାଏ ।

ଶିମିଳିପାଳରେ ୧ ହଜାର ୪୦୦ ପଏଣ୍ଟରେ ଲାଗିଛି ନିଆଁ । ଆୟତ କରିବା ପାଇଁ ନିୟୋଜିତ ହୋଇଛନ୍ତି ୧୧୭୫ ଜଣ । ୩୫୯୧ଟି ଫାଇଲ ଲାଇନ ତିଆରି କରାଯାଇଛି । ୨୯୫ଟି ଅଗ୍ନିନିର୍ବାପକ ଯନ୍ତ୍ର, ସ୍ବତନ୍ତ୍ର ନୋଡାଲ ଅଫିସର ସହ ୪୦ଟି ଗାଡି ନିୟୋଜିତ କରାଯାଇଛି । ଜଙ୍ଗଲ ନିଆଁରେ କୌଣସି ଜଙ୍ଗଲୀ ଜୀବଯନ୍ତୁଙ୍କ କ୍ଷତି ହୋଇନାହିଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଏହାସହ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି ସରକାର । ପୂର୍ବତନ ପିସିସିଏଫ ସନ୍ଦିପ ତ୍ରିପାଠୀଙ୍କ ନେତୃତ୍ବରେ ୯ ଜଣିଆ ବିଶେଷଜ୍ଞ ଟିମ୍‌ ଗଠନ ହୋଇଛି ।

ଏହି ଟିମ୍‌ରେ ଡେରାଡୁନ ଓ ହାଇଦ୍ରାବାଦର ୩ଜଣିଆ ବିଶେଷଜ୍ଞ ଟିମ୍‌ ସାମିଲ ଅଛନ୍ତି । ଯେଉଁମାନେ ପ୍ରତ୍ୟେକ ଦିନ ନିଆଁ ଲାଗିବାର କାରଣ ଓ ନିରାକରଣ ଖୋଜିବେ । ଏହାସହ ପ୍ରତ୍ୟେକ ଦିନ ସଂଧ୍ୟା ୬ଟା ବେଳେ ନିଆଁର ସ୍ଥିତି ନେଇ ପ୍ରେସମିଟ୍‌ କରିବେ । ଏଥିସହ ପ୍ରତ୍ୟେକ ଦିନ ସରକାରଙ୍କୁ ରିପୋର୍ଟ ଦେବେ ଡିଏଫଓ । ସେପଟେ ଫେବ୍ରୁଆରୀ ୧୫ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଅଗ୍ନି ଋତୁ ଭାବେ ବିବେଚିତ କରାଯାଏ । ଏହି ସମୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ ।

ଏହି ନିଆଁକୁ ଳିଭେଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ନିଆଁକୁ ନେଇ ସଚେତନ ଅଛନ୍ତି । କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଯୁକ୍ତି ବାଢିଛି ଶାସକ ଦଳ । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବିରୋଧୀ ସବୁବେଳେ ରାଜନୀତି କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ସରକାରଙ୍କ ଗୋଟିଏ ବିଭାଗ ନିଆ ଲଗାଏ ଓ ଆଉ ଗୋଟିଏ ବିଭାଗ ନିଆଁ ଲିଭାଏ ବୋଲି କହିଛି ବିଜେପି । ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।

Leave a Reply