ବିଧାନସଭାକୁ ଡରିଲେ ରାଜ୍ୟ ସରକାର: ଆଲୋଚନା ନ କରିବା ଲାଗି ଶାସକ ଦଳର ରଣନୀତି, ବିଜେଡି କହିଲା ବିତର୍କର ଆବଶ୍ୟକତା ରହିଛି

1 min read

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାକୁ ଡରୁଛନ୍ତି ରାଜ୍ୟ ସରକାର । ଗୃହରେ ଆଲୋଚନା ନକରିବା ଲାଗି ଶାସକ ଦଳ କରୁଛି ରଣନୀତି । ବିଜେପି ସରକାର ସୁଶାସନ ଦେବାରେ ବିଫଳ ହେବାରୁ ଆଲୋଚନା ଚାହୁଁନାହିଁ । ବିଧାନସଭାରେ ଆଲୋଚନା କାହିଁକି ହେଉନି ଏନେଇ ବିତର୍କର ଆବଶ୍ୟକ ଅଛି କହିଲା ବିଜେଡି । କଂଗ୍ରେସ କହିଛି ଶାସକ ଦଳ ନିଜ ଇଚ୍ଛାରେ ଗୃହ ଚଳାଉଛି । ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।

ବିଧାନସଭା କିଏ ଚଳାଇ ଦେଲା ନାହିଁ ? କାହିଁକି ଗୃହରେ ହୋଇପାରିଲାନି ଆଲୋଚନା ? ଏଥିପାଇଁ ଦାୟୀ କିଏ ?  ଶାସକ ନା ବିରୋଧୀ ? ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଦିନକୁ ପୂର୍ବରୁ ସରିବା ପରେ ଏପରି ରାଜନୈତିକ ପୋଷ୍ଟମର୍ଟମ ଆରମ୍ଭ ହୋଇଛି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ବିଧାନସଭାରେ ଓଡ଼ିଶାର ଜନ ସାଧାରଣଙ୍କ କଥା ଆଲୋଚନା ହେବା କଥା, ହେଲେ ତାହା ହେଲା ନାହିଁ । ଗୃହକୁ  ଚଳେଇବା ଦାୟିତ୍ୱ ସରକାରୀ ଦଳର । ତେଣୁ ବିଧାନସଭା ନଚାଲିବା ପାଇଁ ଶାସକ ଦଳ ବେଶୀ ଦାୟୀ । ଆଲୋଚନା କାହିଁକି ହେଉନି ଏନେଇ ବିତର୍କର ଆବଶ୍ୟକତା ରହିଛି । ସାରା ଓଡ଼ିଶାରେ ବିଜେପି ସରକାର ବିରୋଧରେ ଅନାସ୍ଥା ଭାବ ବଢ଼ିଛି । ସାର କଥା ଆଲୋଚନା ହେଲାନି ବୋଲି ଆମେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଚାହିଁଲୁ । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ନେଇ ବିଧାନସଭା ବାହାରେ ପ୍ରତିବାଦ କଲୁ । ହେଲେ ବିରୋଧୀଙ୍କ କୌଣସି କଥାକୁ ଗ୍ରହଣ କରୁନାହାନ୍ତି  ସରକାର । କଂଗ୍ରେସ କହିଛି- ବିଧାନସଭାର ବିଧି ବଦଳରେ ଶାସକ ଦଳର କିଛି ଲୋକଙ୍କ କଥାରେ ବିଧାନସଭା ଚାଲୁଛି । କଂଗ୍ରେସକୁ ଅନାସ୍ଥାକୁ ଅଗ୍ରାହ୍ୟ କରି ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଏହା ବିରୋଧରେ କଂଗ୍ରେସ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଢିବ ।

ମୌସୁମୀ ଅଧିବେଶନ କାଳରେ ଗୃହରେ ୫ଦିନ ଧରି ଆଲୋଚନା, ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ହୋଇପାରିଲାନି । ଶାସକ ଦଳକୁ ଦୁଇ ବିରୋଧୀ ଦଳ ଟାର୍ଗେଟ କରିବା ପରେ ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଭିନ୍ନ ଯୁକ୍ତି ବାଢିଛନ୍ତି । କଂଗ୍ରେସ ଗଣତନ୍ତ୍ର ବ୍ୟବସ୍ଥା ନଜାଣି ଅନାସ୍ଥା ଆଣିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଲା । ଶାସକ ଦଳ ଚାହୁଁଥିଲା ଅନାସ୍ଥା ପ୍ରସ୍ତାବ ଗୃହରେ ଆଲୋଚନା ହେଉ । ମୌସୁମୀ ଅଧିବେଶନ ଗୃହରେ ଶାସକ ଓ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ମୁହାମୁହିଁ ହେବା ପରେ ଗୃହ ବାହାରେ ଦୋଷ ଲଦାଲଦି ହୋଇଛନ୍ତି ।

ନଜର ପକାନ୍ତୁ