ସରକାର ନେବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତି: ଗୋବରରେ ହେବ ଶବଦାହ, ଶୀଘ୍ର ପୁରୀ ସ୍ଵର୍ଗଦ୍ଵାରରେ ହେବ କାର୍ଯ୍ୟକାରୀ
ନନ୍ଦିଘୋଷ ବ୍ୟୁରୋ: ଏଣିକି ସବୁ ଶ୍ମଶାନରେ ଗୋରୁ ଗୋବର ଘସିରେ ହେବ ଶବଦାହ । ରାଜ୍ୟର ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । କାରଣ ଗତକାଲି ପ୍ରଦୂଷଣ ପାଇଁ ଦେଶରେ ନିନ୍ଦାର ପାତ୍ର ହୋଇଛି ଓଡ଼ିଶା । ତାଳଚେର ଦେଶର ସବୁଠାରୁ ପ୍ରଦୂଷିତ ସହର ହେବା ପରେ ଚିନ୍ତା ବଢିଯାଇଛି । ରାଜ୍ୟର ୭ଟି ସହରରେ ଏବେ ପ୍ରଦୂଷଣ ବଢିଛି । ତେବେ ପରିବେଶବିତମାନେ ଏ ସବୁ ପ୍ରୟୋଗକୁ ନାପସନ୍ଦ କରି ପ୍ରଦୂଷଣର ପ୍ରକୃତ କାରଣ ଖୋଜିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରଦୂଷଣ ରୋକିବ ଗୋବର । କାଠ ବଦଳରେ ଗୋବର ଘସିରେ ହେବ ଶବଦାହ । ନୂଆପଡ଼ା, ଚୌଦ୍ବାର, ଅନୁଗୁଳ ଓ ସତୀଚଉରା ଶ୍ମଶାନରେ ଗୋବରରେ ଶବଦାହ କରାଯାଉଛି । ଖୁବଶୀଘ୍ର ପୁରୀ ସ୍ବର୍ଗଦ୍ବାରରେ ଗୋବର ଘସି ବ୍ୟବହାର ନେଇ ଆଲୋଚନା ହୋଇଛି । ବହୁଳ ଭାବେ ଗୋବର ଘସି ବ୍ୟବହାର ହେଲେ ବୃକ୍ଷ କାଟିବାକୁ ଦରକାର ପଡ଼ିବ ନାହିଁ । ଏହାଦ୍ବାରା ପ୍ରଦୂଷଣ ରୋକିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେବେ ସ୍ବର୍ଗଦ୍ବାରକୁ ପ୍ରତିଦିନ ଶହଶହ ମୃତଦେହ ଆସୁଛି । ଶବଦାହ ପାଇଁ ଶହଶହ କ୍ବିଣ୍ଟାଲ୍ କାଠ ଆବଶ୍ୟକ ପଡ଼ୁଛି । ଶବଦାହ ପାଇଁ ଗଛ କଟା ଯାଉଥିବା ବେଳେ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ଅନେକ ସମୟରେ କାଠର ଘୋର ଅଭାବ ବି ଦେଖାଦେଉଛି । ଯେଉଁଥି ପାଇଁ ଶବଦାହ କରିବାକୁ ଲୋକେ ଆସି ନାନା ଅସୁବିଧାରେ ପଡ଼ୁଛନ୍ତି । ଶବ ଦାହ ପରେ ଦରପୋଡ଼ା କାଠ, ପାଉଁଶରେ ପ୍ରଦୂଷଣକାରୀ ଉପାଦାନ ରହୁଥିବାରୁ ନଈ, ପୋଖରୀ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ । ହେଲେ ଘଷି ପାଉଁଶ ଦ୍ବାରା ପ୍ରଦୂଷଣର ଆଶଙ୍କା କମ । ଏପରି ସ୍ଥଳେ ଗୋବର ଘସିର ପ୍ରଚାର ପ୍ରସାର ବଢାଇବେ ସରକାର ।
ଗତକାଲି ତାଳେଚର ଦେଶର ସବୁଠାରୁ ପ୍ରଦୂଷିତ ସହର ହୋଇଥିବାରୁ ଅନୁଗୁଳ ଜିଲ୍ଲାପାଳ ଅନେକ କଟକଣା ଲଗାଇଛନ୍ତି । ଏବେ ପୁଣି ସରକାରଙ୍କ ଗୋବର ଘସିରେ ଶବଦାହ ନିଷ୍ପତ୍ତି । ହେଲେ ଏସବୁକୁ ଅନେକାଂଶରେ ନାପସନ୍ଦ କରିଛନ୍ତି ପରିବେଶବିତ । ପ୍ରଦୂଷଣର ଉତ୍ସ ଖୋଜି ନିରାକରଣ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି । ତେବେ ଗୋବର ଘସି ଧୂଆଁ ବି ପ୍ରଦୂଷଣ କରିବ । ଏଠି ପ୍ରଶ୍ନ ଉଠୁଛି ଆଜି ଦୁନିଆରେ ସଭ୍ୟ ସମାଜ ଗୋମାତାଙ୍କଠାରୁ ଦୂରେଇ ଗଲେଣି । ଘରେ ଗୋରୁ ପାଳିବାକୁ ପସନ୍ଦ କରୁନାହାନ୍ତି । ତାହା ହେଲେ ଏତେ ପରିମାଣର ଗୋବର ଘଷି ଆସିବ କେଉଁଠୁ ? ରାଜ୍ୟ ସରକାର କହୁଛନ୍ତି ଗୋ-ଚାଷ ପାଇଁ କାମଧେନୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପ୍ରକୃତରେ ଏହି ଯୋଜନା କେତେ ଫଳପ୍ରଦ ହୋଇଛି ଓ କେବେଠାରୁ ସ୍ବର୍ଗଦ୍ବାରରେ କାଠ ବଦଳରେ ଘଷିରେ ଶବଦାହ ହେଉଛି ତାକୁ ନେଇ ସନ୍ଦେହ ଉପୁଜିଛି ।

