କାମ ନକଲେ ଚାକିରି ନାହିଁ, ଅପାରଗ ଅଧିକାରୀଙ୍କୁ ବିଦା କରିବେ ସରକାର

ନନ୍ଦିଘୋଷ ବ୍ୟୁରୋ: ଅପାରଗ ଅଧିକାରୀଙ୍କୁ ବିଦା କରିବେ ସରକାର । କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତାହାର ତଥ୍ୟ ସଂଗ୍ରହ କରାଯାଉଛି । ଯେଉଁମାନେ ସରକାରୀ କାମ ଠିକ୍ ଢଙ୍ଗରେ କରୁନାହାନ୍ତି, ସେମାନଙ୍କୁ ସରକାର ବାହାର ରାସ୍ତା ଦେଖାଇବେ । ଏନେଇ ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଦପ୍ତରରୁ ନିର୍ଦ୍ଦେଶ ଯାଇଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି । ଅଧିକାରୀଙ୍କ ଦକ୍ଷତା ଜାଣିବା ସହିତ ସରକାର ମଧ୍ୟ ନିଜ ଦକ୍ଷତା ପରଖନ୍ତୁ ବୋଲି କଂଗ୍ରେସ କହିଥିବା ବେଳେ ବିଜେପି କହିଛି, ସରକାରଙ୍କ ଧାରାରେ ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ। ବିଜେଡି କହିଛି, ସରକାର ରାଜ୍ୟବାସୀଙ୍କୁ ଆଗ ନିଜ ପ୍ରଦର୍ଶନ ଜଣାନ୍ତୁ ।
୧୨ଟି ପଏଣ୍ଟରେ ତଥ୍ୟ ମାଗିଛି ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ । ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସ୍ଥିତି କ’ଣ ? ଅଫିସକୁ କର୍ମଚାରୀ ଓ ଅଧିକାରୀ ଠିକ୍ ସମୟରେ ଆସୁଛନ୍ତି କି ନାହିଁ ? ଜନସେବା ଅଧିକାର ଆଇନ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉଛି କି ନାହିଁ ? ସବୁ ସ୍ତରର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପ୍ରଦର୍ଶନର ସମୀକ୍ଷା କର । ଯିଏ କାମ କରୁନାହାନ୍ତି, ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପଦକ୍ଷେପ ନିଅ । ଲୋକାଭିମୁଖୀ ସରକାର, ସରକାରୀ କାମରେ ଟେକ୍ନୋଲୋଜିର ବ୍ୟବହାର ବାବଦରେ ବିସ୍ତୃତ ତଥ୍ୟ ମାଗିଛନ୍ତି ମୁଖ୍ୟ ସଚିବ । ଅବସର ଦିନ ପେନସନ୍ ଦେବା ସୁନିଶ୍ଚିତ କରିବା, ତୃଣମୂଳ ସ୍ତରକୁ ଯାଇ ସରକାରୀ ଯୋଜନାର ରୂପାୟନ ତଦାରଖ କରିବା ବାବଦରେ ଅଗଷ୍ଟ ୭ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
କାମ ନ କଲେ ବାଧ୍ୟତାମୂଳକ ଅବସର ଦେବାକୁ ୨୦୧୯ରେ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଏବେ ଏହାକୁ ପାଳନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଜେପି ସ୍ବାଗତ କରିଛି । ବିରୋଧୀ ବିଜେଡି ଓ କଂଗ୍ରେସ କହିଛି, ଅଧିକାରୀଙ୍କ ଦକ୍ଷତା ମାପିବା ସହ ସରକାର ମଧ୍ୟ ନିଜ ଦକ୍ଷତା ଦେଖାନ୍ତୁ । ୧୪ ମାସ ଭିତରେ ସରକାର କ’ଣ କରିଛନ୍ତି ଲୋକଙ୍କୁ ଜଣାନ୍ତୁ । ସରକାରଙ୍କ ପ୍ରଦର୍ଶନକୁ ନେଇ ଲୋକେ ଅସନ୍ତୁଷ୍ଟ ଅଛନ୍ତି ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ କହିଛନ୍ତି ।
ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ସରକାରଙ୍କ ସ୍ଲୋଗାନ ହୋଇଥିବା ବେଳେ ଏବେ ଅଧିକାରୀଙ୍କ ଦକ୍ଷତା ମାପିବେ ସରକାର । ଲୋକଙ୍କ ପାଇଁ କାମ ନ କଲେ ଚାକିରି ଚାଲି ଯିବାର ଭୟ ଦେଖାଇଛନ୍ତି ସରକାର ।