କରୋନା ହଟସ୍ପଟ୍ ଭୁବନେଶ୍ୱର:  ଜୋରଦାର ହେବ ଟେଷ୍ଟିଂ,ସପ୍ତାହକରେ ୫ ହଜାର ପରୀକ୍ଷା ଲକ୍ଷ୍ୟ

1 min read

ଭୁବନେଶ୍ୱର:  ଗତ ଏକ ମାସ ଭିତରେ କରୋନା ଗଡ ଭାବେ ଉଭା ହୋଇଛି ଭୁବନେଶ୍ୱର । ମାର୍ଚ୍ଚ ୧୫ ତାରିଖ ଦିନ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ମାମଲା ଆସିବାର ଏକ ମାସ ଭିତରେ କେବଳ ଭୁବନେଶ୍ୱରରେ ୪୬ଟି କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଥିଲା । ଓଡ଼ିଶାରେ ଏହି ସମୟ ମଧ୍ୟରେ ମୋଟ ୬୦ ଜଣ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଥିଲା । ଯାହା ଭିତରୁ ଅଧାରୁ ଅଧିକ ହେଉଛି ଭୁବନେଶ୍ୱର ସଂପର୍କିତ ମାମଲା ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ପାଇଁ  ସ୍ୱତନ୍ତ୍ର ରଣନୀତି ତିଆରି କରିଛନ୍ତି । ଏହି ରଣନୀତି ଅନୁସାରେ ଭୁବନେଶ୍ୱରରେ ବ୍ୟାପକ ନମୂନା ପରୀକ୍ଷା ହେବ ।

ଶୁକ୍ରବାର ଦିନ ଏସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭୁବନେଶ୍ୱର ରାଜ୍ୟର କରୋନା ହଟସ୍ପଟ୍ ଭାବେ ଉଭା ହୋଇଛି । ଏମିତିରେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏହି ରଣନୀତି ଅନୁସାରେ ଭୁବନେଶ୍ୱରରେ ପ୍ରତି ସପ୍ତାହରେ ୭ ହଜାର କରୋନା ଟେଷ୍ଟ୍ ଲକ୍ଷ୍ୟ ରଖାଯାଇଛି । ଦେଶରେ ୧୦ ଲକ୍ଷ ଜନସଂଖ୍ୟା ଭିତରେ ଏହା ସବୁଠୁ ବଡ ନମୂନା ପରୀକ୍ଷା ଉଦ୍ୟମ ହେବ । ଭୁବନେଶ୍ୱରର ଜନସଂଖ୍ୟା ୧୧ ଲକ୍ଷ ହୋଇଥିବା ବେଳେ ପର ମିଲିୟନ ଟେଷ୍ଟ ଦୃଷ୍ଟିରୁ ଏଭଳି ବଡ ଧରଣର ଅଭିଯାନ ଦେଶର ଅନ୍ୟ କୌଣସି ରାଜ୍ୟର ବଡ ବଡ ସହରରେ ଆରମ୍ଭ ହୋଇନି । ବମ୍ବେ,ଦିଲ୍ଲୀ ଭଳି ମହାନଗରରେ ମଧ୍ୟ ଏଭଳି  ବ୍ୟାପକ ଟେଷ୍ଟ ହୋଇ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

କଣ ହେବ ରଣନୀତି ?

ଭୁବନେଶ୍ୱର ପାଇଁ ସରକାର ପ୍ରସ୍ତୁତ କରିଥିବା ରଣନୀତି ଅନୁସାରେ ରାଜ୍ୟରେ ଯେଉଁ ଅଂଚଳରେ କରୋନା ସଂକ୍ରମିତ ନାହାନ୍ତି ସେଠାରୁ ମେସିନ୍ ରାଜଧାନୀକୁ ଅଣାଯିବ । ମାଇକ୍ରୋବାୟୋଲିଜିଷ୍ଟଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇ ବ୍ୟାପକ ଟେଷ୍ଟିଂ ଆରମ୍ଭ ହେବ । ଭୁବନେଶ୍ୱରକୁ ତିନୋଟି ଜୋନରେ ବିଭକ୍ତ କରି ଜୋନୱାରୀ ଦାୟିତ୍ୱ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

କେଉଁ ମାନଙ୍କର ହେବ ଟେଷ୍ଟିଂ ?

ସ୍ଥାୟୀ ଟେଷ୍ଟିଂ କେନ୍ଦ୍ର ସହ ରାଜଧାନୀରେ ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ବୁଲିବ । ଏହା ବିଭିନ୍ନ ସ୍ଥାନରୁ ନମୂନା ସଂଗ୍ରହ କରିବ । ପ୍ରାଥମିକ ଭାବେ ଯେଉଁମାନଙ୍କର ଟେଷ୍ଟ ହେବ ସେମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଛି ।

୧. ପ୍ରଥମ ଶ୍ରେଣୀରେ ସେମାନେ ଅଛନ୍ତି ଯେଉଁମାନଙ୍କର ବିଦେଶ କିମ୍ବା ଦେଶ ଭିତରେ ଅନ୍ୟ କରୋନା ହଟସ୍ପଟକୁ ଯାଇଥିବାର ଇତିହାସ ଥିବ । ଏହାସହ କରୋନା ଲକ୍ଷଣ ଥିବା ବ୍ୟକ୍ତି,ଥଣ୍ଡା ଜର ହୋଇଥିବା ବ୍ୟକ୍ତି,ରାଜଧାନୀର କରୋନା ହଟସ୍ପଟରେ ରହୁଥିବା ଲୋକ, ବିଭିନ୍ନ ବସ୍ତିର ବାସିନ୍ଦା ମାନେ ମଧ୍ୟ ପ୍ରଥମ ପ୍ରାୟୋରିଟି ଲିଷ୍ଟରେ ଆସୁଛନ୍ତି ।

୨. ଦ୍ୱିତୀୟ ଶ୍ରେଣୀରେ ଆସୁଛନ୍ତି ସ୍ୱାସ୍ଥ୍ୟକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ,ପୋଲିସ,ସଫେଇ କର୍ମଚାରୀ ।

୩.  ୬୦ ବର୍ଷ କିମ୍ବା ୬୦ରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ ଟେଷ୍ଟ୍ ହେବ ।

୪.  ଚତୁର୍ଥ ପ୍ରାୟୋରିଟିରେ  ରାଣ୍ଡମ ଟେଷ୍ଟ୍ କରାଯିବ ।

ନିଜ ତରଫରୁ ଟେଷ୍ଟ୍ କରାନ୍ତୁ

ଭୁବନେଶ୍ୱରକୁ ନିରାପଦ କରିବା ପାଇଁ ଜନସାଧାରଣଙ୍କୁ ନିଜ ତରଫରୁ  ନମୂନା ପରୀକ୍ଷା କରିବା ଲାଗି ମୁଖ୍ୟ ଶାସନ ସଚୀବ ଅନୁରୋଧ କରିଛନ୍ତି । କିଛି ଲୋକ ନିଜ ଟେଷ୍ଟିଂ ପାଇଁ କୁଣ୍ଠାବୋଧ କରୁଛନ୍ତି । କିନ୍ତୁ ଏମିତି କରି ସେମାନେ ନିଜର ଓ ପରିବାରର ସୁରକ୍ଷା ସହ ସମାଜକୁ ମଧ୍ୟ ବିପଦରେ ପକାଉଛନ୍ତି । ଯେଉଁମାନଙ୍କୁ ଟେଷ୍ଟ ପାଇଁ କୁହାଯିବ ସେମାନେ ସହଯୋଗ କରିବା ଆବଶ୍ୟକ ,ସହଯୋଗ ନକଲେ ପୋଲିସକୁ ବ୍ୟବହାର କରାଯିବ ବୋଲି ମୁଖ୍ୟ ଶାସନ ସଚୀବ କହିଛନ୍ତି ।

https://www.facebook.com/nandighoshatv/videos/838435569977973/

Leave a Reply