ସ୍ୱାସ୍ଥ୍ୟ ବିଭାଗର 5T ସମୀକ୍ଷା; ଏଣିକି ଜନ୍ମ ମୃତ୍ୟୁର ଇ-ପଞ୍ଜିକରଣ କରିବ ସ୍ୱାସ୍ଥ୍ୟ ବିଭାଗ

1 min read

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ ଜନ୍ମ ମୃତ୍ୟୁର ଇ-ପଞ୍ଜିକରଣ କାର୍ଯ୍ୟ । ପୂର୍ବରୁ ଏହା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିକଟରେ ଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ୫-ଟି ସମୀକ୍ଷା ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ଇ-ପଞ୍ଜିକରଣ ଲାଗି ଟିସିଏସ୍‍କୁ ବିସ୍ତୃତ ଯୋଜନା ପ୍ରସ୍ତୁତ ସହିତ ଇ-ମ୍ୟୁନିସିପାଲିଟି ସଫ୍ଟୱେର ଦେବା ପାଇଁ ବୈଠକରେ କୁହାଯାଇଛି ।

ପଞ୍ଜିକରଣ ନିମନ୍ତେ ୧୦୬ ଭିଏସ୍‍ କ୍ଲବକୁ ଶୀଘ୍ର ନିଯୁକ୍ତି ଦିଆଯିବ । ସେହିଭଳି ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାର ଗୁଣବତ୍ତା ସଂକ୍ରାନ୍ତରେ ଅନୁଧ୍ୟାନ ନିମନ୍ତେ ଏକ ନୂତନ ଏସ୍‍ଓପି ପ୍ରସ୍ତୁତ ହୋଇଛି । ଏଥିରେ ଅଧିକ ୮୪ଟି ୧୦୮ ଆମ୍ବୁଲାନ୍ସ ଚଳାଇବାର ବ୍ୟବସ୍ଥା କରାଯାଉଛି । ମୃତ ବ୍ୟକ୍ତିଙ୍କ ପରିବହନ ନିମନ୍ତେ ମହାପ୍ରୟାଣ ଯୋଜନାର ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଅଣାଯାଇ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି ।SCB

କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ସିଟି ହସ୍ପିଟାଲ କଟକ ଏବଂ ସିଟି ହସ୍ପିଟାଲ ବ୍ରହ୍ମପୁରରେ ଥିବା ସମସ୍ତ ଯନ୍ତ୍ରପାତିର ଯାଞ୍ଚ ସହିତ କଲ ସେଣ୍ଟର ବ୍ୟବସ୍ଥା ହୋଇଛି । ଅନ୍ୟ ସମସ୍ତ ସରକାରୀ ଡାକ୍ତରଖାନା ଗୁଡିକର ଯାଞ୍ଚ ଓ କଲ ସେଣ୍ଟର ବ୍ୟବସ୍ଥା ଚଳିତବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।

ବଡ ବଡ ସରକାରୀ ଡାକ୍ତରଖାନାରେ ମିଳୁଥିବା ସୁବିଧା ସୁଯୋଗରେ ଉନ୍ନତି ଆଣିବା ପାଇଁ ବିଭାଗ ତରଫରୁ ଗଠିତ ଏକ ଦଳ ମାଡ୍ରାସ ମେଡିକାଲ କଲେଜ, ସିଏମ୍‍ସି ଭେଲୋର, ନାରାୟଣ ହୃଦଳାୟ ବେଙ୍ଗଳୁରୁ ଯାଇଥିଲେ । ସେଠାରେ ପରୀକ୍ଷାଗାର, ସଫା ସୁତୁରା, ଖାଦ୍ୟ ଯୋଗାଣ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ସେବା ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି । ନିର୍ମଳ, ନିଦାନର ରିପୋର୍ଟ ସଂଗ୍ରହ, ପ୍ରଶାସନିକ ବ୍ୟବସ୍ଥାର ପୁର୍ନଗଠନ, କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ ପ୍ରତିଷ୍ଠାନ କରିବା ପାଇଁ ଆଲୋଚନା ହୋଇଛି ।

VIMSAR

ବର୍ତ୍ତମାନ ସୁଦ୍ଧା ୧୦୪ କଲସେଣ୍ଟର ମାଧ୍ୟମରେ ୧୮,୪୪୮ ଟି ଫୋନ୍‍ କଲ ବିଭାଗ ତରଫରୁ କରାଯାଇଥିବା ବେଳେ ୭୧୨୪ ଟିରୁ ସଫଳତା ମିଳିଛି । ଡାକ୍ତରଖାନା ଗୁଡିକରେ ଥିବା ହେଲ୍ପ ଡେସ୍କକୁ ସ୍ୱାସ୍ଥ୍ୟ ମିତ୍ର / ଏସ୍‍ଏଚ୍‍ଜି ଗ୍ରୁପଙ୍କ ଦ୍ୱାରା ପରିଚାଳନା କରିବା ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ମିଶନ ଶକ୍ତି ନିର୍ଦ୍ଦେଶକଙ୍କୁ ପଠାଯାଇଛି । ସମୀକ୍ଷା ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ମେଡିକାଲ ନିଗମର ଏମ୍‍ଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ')}

Leave a Reply