ଆଗକୁ ଗରମ ଗୁଳୁଗୁଳି ସହ ଅସ୍ତବ୍ଯସ୍ତ କରିବ ଝାଞ୍ଜି

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ବଢୁଛି ତାପମାତ୍ରା । ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ପ୍ରଚଣ୍ଡ ହେବାର ସମ୍ଭାବନା ରହିଛି । ଗରମ ଗୁଳୁଗୁଳି ସହ ଅସ୍ତବ୍ଯସ୍ତ କରିବ ଝାଞ୍ଜି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଜୁନ ୭ ପରେ ରାଜ୍ୟର କେତେକ ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଜୁନ ୧୫ ତାରିଖ ପରେ ବଦଳି ପାରେ ପାଗର ମିଜାଜ । ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ପୁଣି ବର୍ଷା ସମ୍ଭାବାନ ରହିଛି ।

ବଢୁଛି ପାରଦ । ଅସ୍ତବ୍ଯସ୍ତ କରୁଛି ଗରମ ଗୁଳୁଗୁଳି । କେତେବେଳେ କାଳବୈଶାଖୀ ସୃଷ୍ଟି କରୁଛି ତାଣ୍ଡବ । ରାଜ୍ଯରେ ବଦଳୁଛି ପାଗର ମିଜାଜ । କିଛି ସ୍ଥାନରେ ବର୍ଷା ସାମାନ୍ଯ ଆଶ୍ଵସ୍ତି ଆଣିଥିବାଳେ ପୁଣି ୭ରୁ ବଢିବ ତାପମାତ୍ରା । ଆଗାମୀ ୧୦ ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୮ ଡିଗ୍ରୀ କିମ୍ବା ତା ଠାରୁ ବି ଅଧିକ ରହିପାରେ । ଖରା ଗରମ ସହିତ ପଶ୍ଚିମା ଝାଞ୍ଜି ପବନ ବହିବା କାରଣରୁ ବିଭିନ୍ନ ସ୍ଥାନରେ ପାରଦ ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଆଉଏକ ଲଘୁଚାପ । ଏହାର ପ୍ରଭାବରେ ୧୫ ତାରିଖ ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରାଯାଇଛି ।

ଗତ ୨୪ ଘଣ୍ଟା ଭିତରେ ଢେଙ୍କାନାଳ ଜିଲ୍ଲାରେ ୫୭ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଖରା ଗରମ ସତ୍ତ୍ବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ହାଲୁକାରୁ ମାଧ୍ୟମ ଧରଣ ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ଓ ବଜ୍ରପାତ ସହିତ ଝଟକା ପବନ ୩୦ ରୁ ୪୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ୭ ତାରିଖରୁ ରାଜ୍ୟରେ ବଜ୍ରପାତ ଜନିତ ଆଲର୍ଟ ନାହିଁ । କିନ୍ତୁ ଆସନ୍ତାକାଲି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଉପକୁଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଲଘୁଚାପ ଆଶ୍ବସ୍ତି ଦେଇପାରେ ବୋଲି ବିଭିନ୍ନ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।