ତାତିରୁ ମିଳିବ ତ୍ରାହି, କମିବ ଦିନ ତାପମାତ୍ରା

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ୱସ୍ତି। ବଦଳିବ ପାଣିପାଗ । ୨ ଦିନ ପରେ ତାତି କମିବା ସହିତ ଦିନ ତାପମାତ୍ରା ବି ୩ ରୁ ୫ ଡିଗ୍ରୀ କମିବ ବୋଲି ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଗାମୀ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ଅଛି । କିଛି କିଛି ଜାଗାରେ ପ୍ରବଳ ବର୍ଷା ବି ହୋଇପାରେ। ଆଗାମୀ ୫ ଦିନ ଭିତରେ ରାଜ୍ୟରେ ଝଡ଼ ତୋଫାନ ସହିତ ବର୍ଷା ହେବ ବୋଲି କହିଛି କେନ୍ଦ୍ର। ସେପଟେ ହଟାତ ତାପମାତ୍ରା କମିବାର କାରଣ ହେଉଛି ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ଏବଂ ବଙ୍ଗୋପସାଗରରୁ ଆସୁଥିବା ପବନ ଧୀରେ ଧୀରେ ସବଲ ହେଉଛି। ଯାହା କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପରେ ରାଜ୍ୟରେ ଗୁଳୁଗୁଳି କମିବାର ମଧ୍ୟ ସମ୍ଭାବନା ରହିଛି। ରାଜ୍ୟରେ ୨ ଟି ପର୍ଯ୍ୟୟାରେ ପ୍ରାୟ ୨୦ ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗରୁ ମଧ୍ୟ ୧,୨ ଥର ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅପରାହ୍ନରେ  ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର।