ରାଜ୍ୟରେ ଆଗକୁ ଆହୁରି ବଢିବ ତାତି

ଭୁବନେଶ୍ବର: ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ । ଆଗକୁ ଆହୁରି ବଢିବ ତାତି । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ତାତି । ଆଜି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ । ତେବେ ଦ୍ବିତୀୟ ସପ୍ତାହ ଶେଷ ବେଳକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି । ଆଇଏମ୍ଡିର ସିଜିନାଲ ଫୋରକାଷ୍ଟ ଅନୁସାରେ ଚଳିତବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ କରି ମେ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୁତ ହେବ । ଏଲନିନୋ ପ୍ରଭାବ ଅଧିକ ରହୁଥିବାରୁ ଅଧିକ ତାତି ଅନୁଭୁତ ହେବ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମାର୍ଚ୍ଚ ମାସରେ ପଶ୍ଚିମା ଝଡର ଅଧିକ ପ୍ରଭାବ ରହିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗତକାଲି  ୩୬ ଡିଗ୍ରୀ ଅତିକ୍ରମ କରିଥିଲା ଭୁବନେଶ୍ବର ତାପମାତ୍ରା। ଭୁବନେଶ୍ବରରେ ୩୬.୮ ଡଗ୍ରୀ ତାମପ୍ରାତ୍ରା ରେକର୍ଡ ହୋଇଥିଲା ।